ନୂଆଦିଲ୍ଲୀ,୯।୮: ଯଦି ଆପଣ ପ୍ରତିଦିନ ଗ୍ରୋକ ଏଆଇ ବ୍ୟବହାର କରୁଛନ୍ତି ଏବଂ ଏହା ଆପଣଙ୍କର ପ୍ରିୟ ଏଆଇ ଟୁଲ, ତେବେ ଆପଣଙ୍କ ପାଇଁ ଏକ ଖରାପ ଖବର ରହିଛି। ଏଲନ ମସ୍କ ଗ୍ରୋକ ଏଆଇକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହା ଗ୍ରୋକ ଉପଭୋକ୍ତାଙ୍କୁ ନିରାଶ କରିପାରେ। ମସ୍କଙ୍କର ଧ୍ୟାନ ସବୁବେଳେ ଆୟ ବୃଦ୍ଧି ଉପରେ ରହିଛି। ଏବେ ସେ ଗ୍ରୋକ ଏଆଇରୁ ମଧ୍ୟ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି। ଏଥିପାଇଁ ଗ୍ରୋକ ଚାଟରେ ସେ ବିଜ୍ଞାପନ ପ୍ରଦର୍ଶନ କରିବାର ପ୍ରସ୍ତୁତି କରୁଛନ୍ତି।
ଏକ୍ସ (X)ର ମାଲିକ ଏଲନ ମସ୍କ ନିକଟରେ ଏକ ସ୍ପେସେସ ଆଲୋଚନା ସମୟରେ ବିଜ୍ଞାପନଦାତାଙ୍କ ସହ କଥାବାର୍ତ୍ତା ବେଳେ ଖୁଲାସା କରିଛନ୍ତି ଯେ ତାଙ୍କ କମ୍ପାନୀ ଏବେ ଗ୍ରୋକ୍ ଏଆଇ ଚାଟବଟ୍ର କ୍ଷମତାରୁ ବାଣିଜି୍ୟକ ଲାଭ ଉଠାଇବାକୁ ପ୍ରସ୍ତୁତ ହେଉଛି। ମସ୍କ କହିଛନ୍ତି ଯେ ଗ୍ରୋକ୍ର ଉତ୍ତର ଓ ପରାମର୍ଶ ସହିତ ଉପଭୋକ୍ତାଙ୍କୁ ବିଜ୍ଞାପନ ଦେଖାଯିବ, ଯାହା ଗ୍ରୋକ ଚଲାଇବା ପାଇଁ ବ୍ୟବହୃତ ମହଙ୍ଗା ଜିପିୟୁ (GPU)ର ଖର୍ଚ୍ଚ ପୂରଣ କରିବ।
ମସ୍କ କହିଛନ୍ତି ଯେ ଏକ୍ସର ମୂଳ କମ୍ପାନୀ xAI ଏପର୍ଯ୍ୟନ୍ତ କେବଳ ଗ୍ରୋକ ଏଆଇ ଚାଟବଟ୍କୁ ଉନ୍ନତ କରିବା ଉପରେ ଧ୍ୟାନ ଦେଉଥିଲା, କିନ୍ତୁ ଏବେ ଏହାର ଲକ୍ଷ୍ୟ ରାଜସ୍ବ ଅର୍ଜନ ଦିଗରେ ରହିବ। ସେ ଆହୁରି କହିଛନ୍ତି ଯେ ଯେତେବେଳେ ଉପଭୋକ୍ତା ଏଆଇକୁ କୌଣସି ନିର୍ଦ୍ଦିଷ୍ଟ ପ୍ରଶ୍ନ ପଚାରିବେ, ତେବେ ଉତ୍ତର ସହିତ ବିଜ୍ଞାପନ ପରାମର୍ଶ ରୂପେ ଦେଖାଯାଇପାରେ। ତଥାପି, ସେ ତାଙ୍କର ପୂର୍ଣ୍ଣ ରଣନୀତି ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇନାହାନ୍ତି।
ଏଲନ ମସ୍କ ଆଉ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ କମ୍ପାନୀ ଏବେ ‘ଗ୍ରୋକ ଇମାଜିନ୍’ ନାମକ ଏଆଇ ଇମେଜ ଓ ଭିଡିଓ ଜେନେରେସନ ଟୁଲ ଲଞ୍ଚ କରିଛି। ଏହି ନୂଆ ଟୁଲ ବର୍ତ୍ତମାନ ଆମେରିକାରେ ମାଗଣାରେ ଉପଲବ୍ଧ ରହିଛି ଏବଂ ଏହାକୁ ଆପ ଷ୍ଟୋର ଓ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରାଯାଇପାରିବ। ଏହି ଟୁଲକୁ ଗ୍ରୋକ ଆପରେ ଯୋଡ଼ା ଯାଇଛି।