ଏଲନ ମସ୍କଙ୍କୁ ଜୋରଦାର ଝଟ୍‌କା: SpaceX Starship ରକେଟ୍‌ ଫେଲ୍‌

ଓ୍ବାଶିଂଟନ୍‌,୭।୩: ସ୍ପେସଏକ୍ସର ମାଲିକ ଏଲନ ମସ୍କଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ଲଞ୍ଚ ହେବାର କିଛି ମିନିଟ ପରେ ତାଙ୍କ କମ୍ପାନୀ ସ୍ପେସଏକ୍ସର ଷ୍ଟାରସିପ ରକେଟ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ଯାହା ଫଳରେ ଏହା ଖଣ୍ଡ ଖଣ୍ଡ ହୋଇ ଦକ୍ଷିଣ ଫ୍ଲୋରିଡା ଏବଂ ବାହାମାସ ନିକଟରେ ଆକାଶରେ ବିସ୍ତାରିତ ହୋଇପଡ଼ିଛି।

୪୦୩ ଫୁଟ ଉଚ୍ଚ (୧୨୩ ମିଟର) ରକେଟ ସୂର୍ଯ୍ୟାସ୍ତ ପୂର୍ବରୁ ଟେକ୍ସାସରୁ ଉଡ଼ାଣ କରିଥିଲା। ପ୍ରଥମ ପର୍ଯ୍ୟାୟରେ ସ୍ପେସଏକ୍ସ ସଫଳତାର ସହ ଉଡ଼ାଣ କରିଥିଲା, କିନ୍ତୁ ମହାକାଶଯାନଟି ଏହାର ପୂର୍ବନିର୍ଦ୍ଧାରିତ ପଥରେ ଆଗକୁ ବଢ଼ିପାରିଲା ନାହିଁ ଏବଂ ନିୟନ୍ତ୍ରଣ ହରାଇଥିଲା।

ସ୍ପେସଏକ୍ସର ଲାଇଭ ଷ୍ଟ୍ରିମରେ ଷ୍ଟାରସିପ ଅନିୟନ୍ତ୍ରିତ ଭାବରେ ଘୂରୁଥିବା ଦେଖାଯାଇଥିଲା, ଯାହା ପରେ କମ୍ପାନୀ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ରିପୋର୍ଟ କରିଥିଲା। ଏହାର କିଛି ସମୟ ପରେ, ସୋସିଆଲ ମିଡିଆରେ ଅନେକ ଭିଡିଓ ପ୍ରକାଶ ପାଇଥିଲା, ଯେଉଁଥିରେ ଦକ୍ଷିଣ ଫ୍ଲୋରିଡା ଏବଂ ବାହାମାସ ନିକଟରେ ଆକାଶରେ ମହାକାଶଯାନର ଖଣ୍ଡଗୁଡ଼ିକ ଅଗ୍ନିପିଣ୍ଡୁଳା ପରି ପଡ଼ିଥିବା ଦେଖାଯାଇଥିଲା।

ଏହି ଘଟଣା ଯୋଗୁ ମହାକାଶ ପ୍ରକ୍ଷେପଣ ଭଗ୍ନାବଶେଷ ଯୋଗୁ ମିଆମି, ଫୋର୍ଟ ଲୌଡରଡେଲ, ପାମ ବିଚ ଏବଂ ଅର୍ଲାଣ୍ଡୋ ବିମାନବନ୍ଦରରେ ବିମାନ ଉଡ଼ାଣକୁ ସାମୟିକ ଭାବରେ ବନ୍ଦ କରାଯାଇଥିଲା।

ସ୍ପେସଏକ୍ସ ପରେ ଏକ ଅପଡେଟରେ କହିଛି ଯେ, ଲଞ୍ଚ ସମୟରେ, ଷ୍ଟାରସିପ ପୂର୍ବନିର୍ଦ୍ଧାରିତ ପଥରେ ଶୀଘ୍ର ଗତି କରିପାରି ନ ଥିଲା, ଯାହା କାରଣରୁ ଆମେ ଏହା ସହିତ ସମ୍ପର୍କ ହରାଇଥିଲୁ। ଏହା ପରେ ଦଳ ଜରୁରୀକାଳୀନ ପ୍ରୋଟୋକଲ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କଲା ଏବଂ ତୁରନ୍ତ ସୁରକ୍ଷା ଅଧିକାରୀଙ୍କ ସହ କଥା ହେଲା।

ସ୍ପେସଏକ୍ସ କହିଛି, ଆମେ ମୂଳ କାରଣକୁ ଭଲ ଭାବରେ ବୁଝିବା ପାଇଁ ଆଜିର ଉଡ଼ାଣ ପରୀକ୍ଷଣରୁ ତଥ୍ୟ ସମୀକ୍ଷା କରିବୁ। ଆଜିର ଉଡ଼ାଣ ଷ୍ଟାରସିପ୍‌କୁ ଆହୁରି ଉନ୍ନତି କରିବା ପାଇଁ ପ୍ରେରଣା ଦେବ।

ପ୍ରାୟ ଦୁଇ ମାସ ପରେ ଏହି ଉତକ୍ଷେପଣ ହୋଇଥିଲା। ଜାନୁଆରୀରେ ପୂର୍ବରୁ ଏକ ଉତକ୍ଷେପଣ ଏକ ବିସ୍ଫୋରଣରେ ଶେଷ ହୋଇଥିଲା, ଯାହା ଫଳରେ ଜଳୁଥିବା ଭଗ୍ନାବଶେଷ ତୁର୍କସ ଏବଂ କାଇକୋସ ଉପରେ ପଡ଼ିଥିଲା। ଏହି ଦଶନ୍ଧିର ଶେଷ ଭାଗରେ ଚନ୍ଦ୍ରରେ ମହାକାଶଚାରୀମାନଙ୍କୁ ଅବତରଣ କରିବା ପାଇଁ ମହାକାଶ ସଂସ୍ଥା ଷ୍ଟାରସିପ ବୁକ କରିସାରିଥିବାରୁ ନାସା ଏହି ମିଶନକୁ ନିକଟରୁ ନଜର ରଖିଥିଲା।

 

Share