ଓ୍ବାଶିଂଟନ,୧୮।୨: ଟେସ୍ଲାର ସିଇଓ ଏଲନ ମସ୍କଙ୍କୁ ନେଇ ହ୍ବାଇଟ୍ ହାଉସ୍ ପକ୍ଷରୁ ବଡ଼ ବୟାନ ଦିଆଯାଇଛି। ପୂର୍ବରୁ ଟ୍ରମ୍ପ କେବଳ ରାଷ୍ଟ୍ରପତିଙ୍କ ଚୌକିରେ ବସିଛନ୍ତି, ପ୍ରକୃତ ଶକ୍ତି ଏବଂ ନିଷ୍ପତ୍ତି ନେବାର ଅଧିକାର ମସ୍କଙ୍କ ପାଖରେ ଥିବା ରିପୋର୍ଟ ସାମ୍ନାକୁ ଆସିଥିଲା। ହେଲେ ଏବେ
ହ୍ବାଇଟ୍ ହାଉସ୍ ଏକ କୋର୍ଟ ଡକ୍ୟୁମେଣ୍ଟରେ ସ୍ପଷ୍ଟ କରିଛି ଯେ ମସ୍କଙ୍କ ପାଖରେ କୌଣସି ସରକାରୀ ନିଷ୍ପତ୍ତି ନେବାର ଅଧିକାର ନାହିଁ। ତାଙ୍କୁ ସରକାରୀ ନିଷ୍ପତ୍ତି ନେବାର କ୍ଷମତା ଆନୁଷ୍ଠାନିକ ଭାବରେ ଦିଆଯାଇନାହିଁ। ସେ କେବଳ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେଇପାରିବେ ଏବଂ ତାଙ୍କର ନିର୍ଦ୍ଦେଶ ପାଳନ କରିବାର କାମ କରିପାରିବେ।
ହ୍ବାଇଟ ହାଉସ୍ ପ୍ରଶାସନ କାର୍ଯ୍ୟାଳୟର ନିର୍ଦ୍ଦେଶକ ଜୋଶୁଆ ଫିସର ସ୍ପଷ୍ଟ କରିଛନ୍ତି ଯେ ଏଲନ ମସ୍କ ଜଣେ ହ୍ବାଇଟ ହାଉସ କର୍ମଚାରୀ। କିନ୍ତୁ ସେ ଜଣେ ଅସ୍ଥାୟୀ ସ୍ବତନ୍ତ୍ର ସରକାରୀ କର୍ମଚାରୀ ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ରାଷ୍ଟ୍ରପତିଙ୍କ ବରିଷ୍ଠ ପରାମର୍ଶଦାତାର ଭୂମିକା ଦିଆଯାଇଛି, କିନ୍ତୁ ସେ ନିଜେ କୌଣସି ସରକାରୀ ନୀତି କିମ୍ବା ନିଷ୍ପତ୍ତି ନେଇପାରିବେ ନାହିଁ।
ଏହାଛଡ଼ା ଅନ୍ୟ ବରିଷ୍ଠ ହ୍ବାଇଟ ହାଉସ୍ ପରାମର୍ଶଦାତାଙ୍କ ପରି ମସ୍କଙ୍କ ଭୂମିକା କେବଳ ପରାମର୍ଶ ଦେବା ପର୍ଯ୍ୟନ୍ତ ସୀମିତ। ମସ୍କ କେବଳ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେବା ପାଇଁ କାମ କରନ୍ତି, କିନ୍ତୁ ତାଙ୍କର କୌଣସି ସରକାରୀ ନିଷ୍ପତ୍ତି କାର୍ଯ୍ୟକାରୀ କରିବାର ଅଧିକାର ନାହିଁ। ଡକ୍ୟୁମେଣ୍ଟରେ ଏହା ମଧ୍ୟ କୁହାଯାଇଛି ଯେ ମସ୍କଙ୍କ କାମ ହ୍ବାଇଟ ହାଉସ ମଧ୍ୟରେ ଏକ ନିର୍ଦ୍ଧିଷ୍ଟ କ୍ଷେତ୍ର ପର୍ଯ୍ୟନ୍ତ ସୀମିତ।
ଫିସର ଆହୁରି କହିଛନ୍ତି ଯେ ’ୟୁଏସ ଡଜ୍ ସର୍ଭିସ’ ରାଷ୍ଟ୍ରପତିଙ୍କ କାର୍ଯ୍ୟନିର୍ବାହୀ କାର୍ଯ୍ୟାଳୟ (Executive Office of the President) ର ଏକ ଅଂଶ। ସେ କହିଛନ୍ତି ଯେ ’ୟୁଏସ୍ ଡଜ୍ ସର୍ଭିସ୍ ଟେମ୍ପରାରୀ ଅର୍ଗାନାଇଜେଶନ (US DOGE Service Temporary Organization) ସେବା ଅସ୍ଥାୟୀ ସଂଗଠନ’ ଏହି ସେବା ଅଧୀନରେ ଆସେ। କିନ୍ତୁ ଏହା ହ୍ବାଇଟ ହାଉସ କାର୍ଯ୍ୟାଳୟଠାରୁ ସମ୍ପୂର୍ଣ୍ଣ ଭିନ୍ନ। ତେବେ ଏହି ବିବୃତ୍ତି ସ୍ପଷ୍ଟ କରିଦେଲା ଯେ ସରକାରୀ ପ୍ରଶାସନରେ ମସ୍କଙ୍କର କୌଣସି ଗୁରୁତ୍ୱପୂର୍ଣ୍ଣ ଭୂମିକା ନାହିଁ।