Categories: HomeHome Middle

ଏଲନ ମସ୍କଙ୍କ ୟୁଟର୍ନ…ପୁଣି ଟ୍ରମ୍ପ୍‌ଙ୍କ ସହ ଏକାଠି ହେବେ ବୋଲି ଚର୍ଚ୍ଚା

ଓ୍ବାଶିଂଟନ,୮ା୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କ ଏକଦା ଅତି ଘନିଷ୍ଠ ସହଯୋଗୀ ରହିଥିବାବେଳେ ଏବେ ସେମାନଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଯାଇଛି। ସେମାନେ ପରସ୍ପର ବିରୋଧରେ ପୋଷ୍ଟ କରିବା ସହ ଧମକ ଦେବାକୁ ମଧ୍ୟ ପଛାଇ ନାହାନ୍ତି। ଟ୍ରମ୍ପ୍‌ଙ୍କୁ ସମାଲୋଚନା କରିବାକୁ ଯାଇ ଜେଫ୍ରି ଏପ୍‌ଷ୍ଟେଇନ୍‌ ଫାଇଲ୍‌ରେ ତାଙ୍କ ନାମ ଥିବା ମସ୍କ ଅଭିଯୋଗ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିବାବେଳେ ପରେ ଏହାକୁ ଡିଲିଟ୍‌ କରିଦେଇଥିବାରୁ ସେମାନେ ପୁଣିଥରେ ଏକାଠି ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି। ବିବାଦକୁ ଟ୍ରମ୍ପ୍‌ ଗୁରୁତ୍ୱ ଦେଇ ନ ଥିବାବେଳେ ଏକତା ଜରୁରୀ ବୋଲି ମସ୍କ ସ୍ବୀକାର କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଜେଫ୍ରି ଏପ୍‌ଷ୍ଟେଇନ୍‌ ଜଣେ ଯୌନ ଅପରାଧୀ ଭାବେ ନିକଟରେ ଦୋଷୀସାବ୍ୟସ୍ତ ହୋଇଥିଲେ। ଉକ୍ତ ମାମଲାର ଫାଇଲ୍‌ରେ ଟ୍ରମ୍ପ୍‌ଙ୍କ ନାମ ଥିବାରୁ ଏହାକୁ ସର୍ବସାଧାରଣରେ ପ୍ରକାଶ କରାଯାଇ ନ ଥିବା ମସ୍କ ସୋସିଆଲ ମିଡିଆରେ ଲେଖିଥିଲେ। ପରେ ସେ ଉକ୍ତ ପୋଷ୍ଟକୁ ଡିଲିଟ୍‌ କରିଛନ୍ତି। ବିବାଦ ତୀବ୍ର ହେବା ପରେ ଟେସ୍‌ଲା ସିଇଓ ମସ୍କ ‘ଦି ଆମେରିକା ପାର୍ଟି’ ନାମରେ ନୂଆ ରାଜନୈତିକ ଦଳ ଗଠନ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ, ଯାହାକୁ ସୋସିଆଲ ମିଡିଆ ୟୁଜରମାନେ ସମର୍ଥନ ଜଣାଇଥିଲେ।

Share