ଗାଁ ରାସ୍ତାରେ ହାତୀ, ଲୋକେ ଭୟଭୀତ

ନିରାକାରପୁର,୧୫ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳରେ ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ଏହି ହାତୀପଲ ଖାଦ୍ୟ ସନ୍ଧାନରେ ଆସି ଗାଁ ମୁହାଁ ହୋଇ କେତେବେଳେ ହାତୀର ଜୀବନ ଯାଉଛି ତ କେତେବେଳେ ମଣିଷର ଜୀବନ ଯାଉଛି। ଏହି ହାତୀପଲ ଘଉଡ଼ାଇବାରେ ବନ ବିଭାଗ ବିଫଳ ରହିଥିବା ଦେଖିବାକୁ ମିଳିଛି। ଏଭଳି ଦୃଶ୍ୟ ଉକ୍ତ ବନାଞ୍ଚଳ ଅଧୀନରେ ଥିବା ଟାଙ୍କୋଳ ପଞ୍ଚାୟତରେ ବୁଧବାର ଦେଖିବାକୁ ମିଳିଛି।

ଆଜି ଅପରାହ୍ନରେ ଗୋଟେ ଦନ୍ତା ହାତୀ ଉକ୍ତ ଅଞ୍ଚଳ ରାସ୍ତା ଉପରେ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଲୋକେ ରୁଣ୍ଡ ହୋଇ ହୋ-ହଲ୍ଲା କରିବାରୁ ହାତୀଟି ସେଠାରେ ଥିବା ମା’ ତରଦେବୀଙ୍କ ମନ୍ଦିର ପଛପାଖରେ ରହିଯାଇଛି। ଯାହାଯୋଗୁ ଆଜି ଉକ୍ତ ଅଞ୍ଚଳରେ ଏକ ପ୍ରକାର ଭୟ ଓ ଆଶଙ୍କା ଲୋକମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି।

ଏନେଇ ଟାଙ୍ଗୀ ବନାଞ୍ଚଳ ଅଧିକାରୀ ଦେବାଶିଷ ଭୋଇଙ୍କୁ ପଚାରିବାରୁ ବର୍ତ୍ତମାନ ଟାଙ୍ଗୀ ୧୮ଟି ହାତୀ ଟାଙ୍ଗୀ ଅଞ୍ଚଳରେ ରହିଛନ୍ତି। ୧୭ଟି ନାଲସିଂହ ଅଞ୍ଚଳରେ ରହିଥିବା ବେଳେ ଟାଙ୍କୋଳରେ ଗୋଟିଏ ହାତୀ ରହିଛି ବୋଲି ସେ ସୂଚନା ଦେଇଛନ୍ତି।

Dharitri – The Largest & Most Trusted Odia Daily