ନିରାକାରପୁର,୨୭।୭(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳ ଅଧୀନରେ ଗୟାବନ୍ଧ ସଂଖ୍ୟାଲଘୁ ସାହିରେ ଜଙ୍ଗଲୀ ହାତୀ ପଶି ଘର ପାଚେରୀ ଭାଙ୍ଗିଥିବା ଜଣାପଡିଛି। ଦୀର୍ଘ ଦିନ ଧରି ଅଞ୍ଚଳରେ ୪ଟିକିଆ ହାତୀପଲ ରହି ଖାଦ୍ୟ ଅନ୍ବେଷଣରେ ଗାଁ ମୁଁହାଁ ହୋଇ କେତେବେଳେ ଘର, ବାରିରେ ପଶି ଲାଗିଥିବା ଗଛପତ୍ର ଖାଉଛନ୍ତି ତ’ କେତେବେଳେ ଘରେ ବାରିରେ ହୋଇଥିବା ସୁରକ୍ଷା ପାଚେରୀ ଭାଙ୍ଗୁଛନ୍ତି। ଏପରିକି କେତେବେଳେ ମଣିଷ ସହିତ ହାତୀର ଲଢେଇ ହୋଇ ହାତୀ ମରୁଛି ତ କେତେବେଳେ ମଣିଷ ମରୁଛନ୍ତି।
ଶନିବାର ବିଳମ୍ବିତ ରାତିରେ ୪ଟି ହାତୀ ଗୟାବନ୍ଧ ଗାଁ ନିକଟକୁ ଆସି ଅବଦୁଲ ଗଫୁର ଖାଁ ଫାର୍ମ ହାଉସ ପାଚେରୀ ଭାଙ୍ଗି ଫାର୍ମ ଭିତରେ ଲଗାଯାଇଥିବା ଗଛପତ୍ର ଖାଇବା ସହ ଦଳିଚକଟି ନଷ୍ଟ କରି ଦେଇଥିବା ଅଭିଯୋଗ ହୋଇଛି।
ଖବର ପାଇ ବନ କର୍ମଚାରୀ ପହଞ୍ଚି ହାତୀର ଗତିବିଧି ଜାଣିବା ପାଇଁ ଡ୍ରୋନ ସହାୟତାରେ ନଜର ରଖିଛନ୍ତି। ହେଲେ ହାତୀକୁ ଜଙ୍ଗଲ ମଧ୍ୟକୁ ଘଉଡାଇବାରେ ବିଫଳ ହେଉଥିବାରୁ ଚାଷୀ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି।