ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ କୋମନା ବ୍ଲକ ସୁନାବେଡା ପଞ୍ଚାୟତ ଦାତୁନାମା ଗାଁରେ ୨୭ ଟିକିଆ ହାତୀପଲ ପଶି ୧୦ ଚାଳଛପର ଘର ଭାଙ୍ଗି ଧାନ, ଚାଉଳ ଖାଇବା ସହ ଅନ୍ୟ ଜିନିଷପତ୍ର ଭାଙ୍ଗି ନଷ୍ଟ କରିଛନ୍ତି। ଫଳରେ ୧୦ ପରିବାର ବେସାହାରା ହୋଇପଡିଛନ୍ତି। ଖବର ପାଇ ସିଆର୍‌ପିଏଫ୍‌ ୨୧୬ ଓ ୧୯ ବାଟାଲିୟନର ଯବାନମାନେ ପହଞ୍ଚତ୍ ଗ୍ରାମବାସୀଙ୍କୁ ହାତୀ କବଳରୁ ଉଦ୍ଧାର କରିଛନ୍ତି। ସୁନାବେଡ଼ା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି ା ବର୍ତ୍ତମାନ ହାତୀ ଛତିଶଗଡ଼ ସୀମାନ୍ତ ସିକାସେର ଡ୍ୟାମ ଅଞ୍ଚଳରେ ରହିଥିବା ସୂଚନା ମିଳିଛି। କ୍ଷତିଗ୍ରସ୍ତ ପରିବାରକୁ ସୁନାବେଡା ବନ୍ୟପ୍ରାଣୀ ବିଭାଗ ଓ ବ୍ଲକ ପ୍ରଶାସନ ପକ୍ଷରୁ ତାର୍‌ପୋଲିନ ଯୋଗାଇ ଦିଆଯାଇଛି। ଯବାନମାନେ ମଧ୍ୟ ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଉଛନ୍ତି। ସୁନାବେଡା ବନ୍ୟପ୍ରାଣୀ ବିଭାଗ ଏସିଏଫ୍‌ ସଞ୍ଜୀବ ବନଗୋଲାଙ୍କୁ ପଚାରିବାରୁ ଏହି ୨୭ ଟିକିଆ ହାତୀପଲ ପ୍ରତି ୧୫ ଦିନ କିମ୍ବା ମାସେ ଭିତରେ ଛତିଶଗଡରୁ ସୁନାବେଡା ଦେଇ ବଲାଙ୍ଗୀର ଜିଲାକୁ ଯାଇ ପୁଣି ଫେରୁଛନ୍ତି। ଦାତୁନାମା ଗଁାରେ ୧୦ରୁ ଊର୍ଦ୍ଧ୍ୱ ଘର ହାତୀ ଭାଙ୍ଗି ନଷ୍ଟ କରିଛନ୍ତି। ନିଜସ୍ବ ଜମି ଉପରେ ଘର କରି ରହିଥିଲେ ଘର ଭଙ୍ଗା ବାବଦକୁ ସରକାରୀ ସହାୟତା ମିଲିଥାନ୍ତା। ସରକାରୀ ଜମି ଉପରେ ରହିଥିବାରୁ ଘର ଭଙ୍ଗା ସହାୟତା ମିଲିବ ନାହିଁ। କେବଳ ତାର୍‌ପୋଲିନ ବ୍ୟବସ୍ଥା ହୋଇପାରିବ ବୋଲି କହିଥିଲେ।

 

Dharitri – Odisha’s No.1 Odia Daily