ହାତୀ, ବାର୍‌ହାଙ୍କ ଉତ୍ପାତ: ଉଜାଡିଲେଣି ୬୪ ଏକର

ବେଗୁନିଆ,୨୯।୧୨(ହରପ୍ରସନ୍ନ ପଣ୍ଡା): ଚଳିତ ଖରିଫ ଋତୁରେ ଏବେ କ୍ଷେତରୁ ଧାନ ଫସଲ ଅମଳ ଜାରି ରହିଛି। ଏଥିସହ ଜମିରେ ରବି ଫସଲ ବୁଣାଯାଇଛି। ଅପରପକ୍ଷେ ପନିପରିବା, ଅର୍ଥକାରୀ ଓ ତୈଳଜାତ ଫସଲ ମଧ୍ୟ ବହୁଳ ପରିମାଣରେ ଚାଷ କରାଯାଇଛି। ତେବେ ବେଗୁନିଆ ବ୍ଲକ ଅଞ୍ଚଳର ଚାଷୀଙ୍କୁ ହାତୀ, ବାର୍‌ହା ଚିନ୍ତା ଘାରିଛି।

ଏବେ ପରିବା ଓ ରବି ଫସଲ କିଆରିରେ ହାତୀ, ବାର୍‌ହା ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ବିଗତ ବର୍ଷରେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଏବେ ବନ୍ୟଜନ୍ତୁଙ୍କ ପ୍ରାଦୁର୍ଭାବ ଯୋଗୁ ଚାଷୀଙ୍କ ଉପରେ କୋରଡା ମାଡ଼ ସଦୃଶ ହୋଇଛି। ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ଚାଷ କାର୍ଯ୍ୟରୁ ଚାଷୀ ମୁହଁ ଫେରାଇ ନେବାକୁ ବସିଲାଣି। ସମ୍ପ୍ରତି କିଛିଦିନ ହେଲା ହାତୀ ଓ ବାର୍‌ହା ପଲଙ୍କ ଉତ୍ପାତ ଯୋଗୁ ବେଗୁନିଆ ବ୍ଳକରେ ବ୍ୟାପକ ଫସଲ ହାନି ହୋଇଛି। ଚଳିତ ଖରିଫ ଋତୁରେ ବ୍ଲକରେ ପ୍ରାୟ ୮ଟି ପଞ୍ଚାୟତର ୪୦ରୁ ଉଦ୍ଧର୍‌ବ ଗାଁର ବହୁ ଚାଷୀଙ୍କର ୬୪ ଏକରରୁ ଊର୍ଦ୍ଧ୍ୱ ଧାନ ଓ ପରିବା ଫସଲ ନଷ୍ଟ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି।

ଫସଲ ହାନି ହୋଇଥିବା ଅଞ୍ଚଳ ମଧ୍ୟରେ ହଜ, ସିକୋ, ହୀରାପୁର, ବୋତଳମା, ଦେଉଳି, ଗୋବିନ୍ଦପୁର, କୁଞ୍ଜୁରି ଓ ଶଗଡ଼ଭଙ୍ଗା ଅବସ୍ଥିତ। କ୍ଷତିଗ୍ରସ୍ତ ଚାଷୀମାନେ ବନ ବିଭାଗ ଓ କୃଷି ବିଭାଗ ନିକଟରେ ବାରମ୍ୱାର ଅଭିଯୋଗ କରିଛନ୍ତି, ମାତ୍ର ନିରାଶ ହେବାକୁ ପଡ଼ିଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ବନ ବିଭାଗ ପକ୍ଷରୁ ଏକର ପିଛା ୧୦ ହଜାରରୁ ୧୨ ହଜାର ଟଙ୍କା କ୍ଷତିପୂରଣ ସହାୟତା ମିଳୁଛି, ହେଲେ ତାହା ସମୁଦ୍ରକୁ ଶଙ୍ଖେ ଭଳି ବୋଲି ଚାଷୀ ଭାଗୀରଥି ଦଳସିଂହରାୟ, କ୍ଷେତ୍ରବାସୀ ପରିଡା, ବିଶ୍ୱମ୍ୱର ମାଝି, ଦିଗମ୍ୱର ପଣ୍ଡା ପ୍ରମୁଖ କହିଛନ୍ତି।

ସେମାନେ ଆହୁରି କହିଛନ୍ତି,ଗତ ୧୩ ବର୍ଷ ହେଲା ଚନ୍ଦକା ଜଙ୍ଗଲରୁ ହାତୀପଲ ଆସି ବେଗୁନିଆ ବ୍ଳକର ନାରଗୋଦା ଗ୍ରାମ୍ୟ ଜଙ୍ଗଲରେ ରହୁଛନ୍ତି। ସେହି ସମୟରେ ୨ରୁ ୩ଟି ହାତୀଙ୍କୁ ଦେଖିବାକୁ ମିଳିଥିଲା। ବର୍ଷକୁ ବର୍ଷ ସେମାନେ ବଂଶ ବିସ୍ତାର କରୁଛନ୍ତି। ପଲରେ ଏବେ ୪ଟି ଦନ୍ତା, ୪ଟି ଛୁଆ ସହ ୮ଟି ମା’ ହାତୀ ଚଲାବୁଲା କରୁଥିବା ଦେଖିଛୁ। ସା ହେଲେ ହାତୀପଲ ବିଭିନ୍ନ ଗାଁକୁ ପଶି ଆସୁଛନ୍ତି, ଧନ ସମ୍ପତ୍ତି ନଷ୍ଟ କରିବା ସହ ଜୀବନ ନେଉଛନ୍ତି। ସେହିପରି ବାର୍‌ହା ପଲଙ୍କ ପ୍ରାଦୁର୍ଭାବ କଥା ନ କହିବା ଭଲ। ଯଦି ବନବିଭାଗ ପକ୍ଷରୁ ହାତୀ ପଲଙ୍କୁ ଆୟତ୍ତ କରାଯାଇ ଚନ୍ଦକା ଜଙ୍ଗଲକୁ ନିଆଯାଇପାରନ୍ତା, ତେବେ ଚାଷୀଙ୍କ ଦୁଃଖ କିଛିମାତ୍ରାରେ ଲାଘବ ହୁଅନ୍ତା।