ଦାରିଙ୍ଗବାଡି, ୧୦।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ମଙ୍ଗଳବାର ସନ୍ଧ୍ୟା ସମୟରୁ ହାତୀ ଆତଙ୍କ ଦେଖାଯାଇଛି। ତେବେ ଉକ୍ତ ଅଞ୍ଚଳରେ ହାତୀ ବୁଲିବା କିଛି ନୂଆ ଘଟଣା ହୋଇ ନ ଥିଲେ ମଧ୍ୟ ଉକ୍ତ ଘାଟି ହାତୀଙ୍କ କରିଡର ଭାବେ ଜଣାଶୁଣା ରହିଛି। ତେବେ ଏହି ହାତୀପଲ ଏବେ ସୋରଡ଼ା ବନବିଭାଗର ଗାଜଲବାଡି ସେକ୍ସନର ଭୁତପଙ୍କାଳ, ରାମନାବାଡି ଛକ ହୋଇ ୫୯ନଂ ଜାତୀୟ ରାଜପଥ ଉପରେ ବୁଲୁଥିବା ଓ ଏକାଧିକ ହାତୀ ରହିଥିବା ପ୍ରତ୍ୟକ୍ଷୟଦର୍ଶି କହିଛନ୍ତି। ହାତୀପଲ କେଉଁଠୁ ଆସିଛି ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ଲଖାରି ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି। ପୂର୍ବରୁ ୨୦୦୮/୦୯ମସିହାରେ ମଧ୍ୟ ଲେଖାରି ଜଙ୍ଗଲରୁ ଗାଜଲବାଡି ଘାଟି ହୋଇ ରାଇକିଆର ଡକରବାଡ଼ି ଦେଇ ଦାରିଙ୍ଗବାଡି ବନାଞ୍ଚଳର ବାଡାବାଙ୍ଗା, ସିମନବାଡି, କିରିକୁଟି ପଞ୍ଚାୟତ ପର୍ଯ୍ୟନ୍ତ ଆସି ବହୁ ଧନହାନୀ ହୋଇଥିଲା। ଏବେ ଗାଜଲବାଡିରେ ହାତୀପଲ ରହିଥିବାରୁ ସେଠାରେ ପ୍ରବଳ ମାତ୍ରାରେ ବାଉଁଶ ଓ ବିଭିନ୍ନ ପ୍ରକାର ଗଛ ଏବଂ ଜଳର ପରିମାଣ ଯଥେଷ୍ଟ ରହିଥିବାରୁ ହାତୀଙ୍କ ବାସସ୍ଥାନ ପାଇଁ ଉପଯୁକ୍ତ ସ୍ଥାନ ହୋଇଛି। ଫଳରେ ଏହି ସମୟରେ ଦୀର୍ଘ ଦିନ ଧରି ହାତୀ ସେହି ଘାଟି ଉପରେ ରହୁଥିବା ଜଣାପଡିଛି। ହାତୀ ରହିଥିବାରୁ ମଙ୍ଗଳବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଉକ୍ତ ରାଜପଥର ଗାଜଲବାଡି ଘାଟିରେ ଶହ ଶହ ଛୋଟ ବଡ଼ ଗାଡି ଅଟକି ରହିଥିଲା।