ହଠାତ୍‌ କୂଅରେ ଗଳି ପଡ଼ିଲା ହାତୀ; ଘେରିଗଲେ ସାଥୀ: ବନବିଭାଗ ପହଞ୍ଚିବାରୁ…

ମୋରଡା,୨୪/୬(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଏକ ହାତୀ କୂଅରେ ପଡିଥିବାର ଦେଖିବାକୁ ମିଳିଛି l ସୂଚନା ମୁତାବକ, ସୋମବାର ମଧ୍ୟରାତ୍ରିରେ ଉକ୍ତ ରେଞ୍ଜ ଅଧୀନ ଝାଟିଅ ପଂଚାୟତର ହରିଣାଶୋଳ ଗ୍ରାମର ଟିଆଖାଳିରେ ଏକ ୧୪ ଟିକିଆ ହାତୀପଲ ଉପଦ୍ରବ ଚଳାଇଥିବାବେଳେ ଜଣଙ୍କ ଘର ପଛ ପଟେ ଥିବା ଏକ କୂଅରେ ଏକ ହାତୀ ଗଳି ପଡିଥିଲା l ଉକ୍ତ ହାତୀଟି କୂଅରେ ଗଳି ପଡିଥିବାର ଦେଖି ଅନ୍ୟ ଏକ ହାତୀ କୂଅ ନିକଟରେ ବସି ଚିତ୍କାର କରୁଥିବା ବେଳେ ଅନ୍ୟ ହାତୀମାନେ କୂଅ ଚାରି ପାଖରେ ଘେରି ରହିଥିଲେ l ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ବନବିଭାଗକୁ ଖବର ଦେଇଥିଲେ l ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଜେସିବି ସାହାଯ୍ୟରେ ଉକ୍ତ ହାତୀକୁ ଉଦ୍ଧାର କରିଥିଲେ l ତେବେ ଉକ୍ତ ହାତୀର ବୟସ ୮ ବର୍ଷ ହେବ ଏବଂ ହାତୀଟି ସୁରକ୍ଷିତ ଭାବେ ଜଙ୍ଗଲକୁ ଯାଇଥିବାର ରେଞ୍ଜର ଘନଶ୍ୟାମ ସିଂ କହିଛନ୍ତି l