‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ ହାତୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଛି। ନରସିଂହଗଡ଼ ଗ୍ରାମ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଓ ଦିଗପହଣ୍ଡି ବନ ବିଭାଗ ପକ୍ଷରୁ ମିଳିତ ଭାବେ ହାତୀ ସୁରକ୍ଷା ସତେତନତା କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଟୁକୁନା ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ଦିଗପହଣ୍ଡି ବନବିଭାଗ ରେଞ୍ଜର ଦିବ୍ୟ ରଞ୍ଜନ ସାହୁ ଯୋଗଦେଇ ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା, ଜଙ୍ଗଲ ସୃଷ୍ଟି କରିବା ସହ ପରିବେଶ ସୁରକ୍ଷା ଅସମ୍ଭବ। ଜୀବଜନ୍ତୁ କୀଟ, ପତଙ୍ଗ ଓ ପରିବେଶ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିିଥିଲେ। ସମ୍ମାନିତ ଅତିଥି ଭାବେ ସିଆରସିସି ଆର. ଦେବହରି ରଣା, ପାଟପୁର ବିଦ୍ୟୁତ ବିଭାଗ ଅଧିକାରୀ ଇଂ.ଦୀପକ ବାଳିଆରସିଂ, ପାଟପୁର ଫରେଷ୍ଟର ସନ୍ତୋଷ ସାହୁ, ସରପଞ୍ଚ ପ୍ରତିନିଧି ମିଥୁନ ସେଠୀ ଉପସ୍ଥିତ ରହି ଜୀବଜନ୍ତୁଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ନ ଦେଲେ ସମାଜରେ ମଣିଷ ବଞ୍ଚିବା କଷ୍ଟସାଧ୍ୟ ହେବ ବୋଲି ମତ ପ୍ରକାଶ କରିଥିଲେ। ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ବନ୍ୟପ୍ରାଣୀଙ୍କଠାରୁ ସତର୍କ ରହିବାକୁ ବନବିଭାଗ ଅଧିକାରୀ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ନାରାୟଣ ଦୋରା ପରିଚାଳନା କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଞ୍ଜନ ମଲ୍ଲିକ, ସୋମନାଥ ପ୍ରଧାନ, ହିମାଂଶୁ ତ୍ରିପାଠୀ, ବିକ୍ରମ କେଶରୀ ସ୍ବାଇଁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily