ଭଗବାନପୁର-କଞ୍ଚିଲୋରେ ହାତୀ ଉପଦ୍ରବ: ପାଚିଲା ଧାନଫସଲ କଲେ ନଷ୍ଟ

ନିରାକାରପୁର,୧୬ା୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନରଣଗଡ଼ ପଞ୍ଚାୟତ ଅଧିନସ୍ଥ କଞ୍ଚିଲୋ ଓ ଭଗବାନପୁର ମୌଜାରେ ଥିବା ଧାନ ବିଲରେ ୨୩ ଟିକିଆ ହାତୀପଲ ପଶି ପ୍ରାୟ ୧୫ ଏକରରୁ ଊର୍ଦ୍ଧ୍ୱ ଧାନ ଜମିରେ ଅମଳ ହେବାକୁ ଥିବା ଧାନଫସଲ ଯେତିକି ଖାଇଛନ୍ତି ତା’ଠାରୁ ଦଶ ଗୁଣ ଧାନଫସଲ ଦଳିଚକଟି ନଷ୍ଟ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀ ସତ୍ୟପୀର ସ୍ବାଇଁଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କର ପ୍ରାୟ ଏକରରୁ ଊର୍ଦ୍ଧ୍ୱ ଜମି ଧାନ କଟା ହେବାକୁ ଥିବା ବେଳେ ସେଗୁଡିକ ଏହି ହାତୀପଲ ଦଳିଚକଟି ନଷ୍ଟ କରିଛନ୍ତି। ସେହିପରି ଭୀମ ବାରିକ, ଅଭିମନ୍ୟୁ ବେହେରା ପ୍ରମୁଖ ଚାଷୀଙ୍କର ମଧ୍ୟ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ହେଲେ ଏନେଇ ବାରମ୍ବାର ବିଭାଗକୁ ହାତୀ ଘଉଡ଼ାଇବା ନିମନ୍ତେ ଯୋଗାଯୋଗ କଲେ ସୁଦ୍ଧା କେହି ଆମ ଗୁହାରି ଶୁଣୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତ। ହାତୀଙ୍କ ଭୟରେ ଚାଷୀମାନେ ଜମିକୁ ଧାନ ଅମଳ ଯିବାକୁ ଡରୁଥିବା ଅନେକ ଚାଷୀ ପ୍ରକାଶ କରିଛନ୍ତି। ଏନେଇ ଭୂଷଣ୍ଡପୁର ଫରେଷ୍ଟର ପ୍ରଶାନ୍ତ କୁମାର ଦାଶଙ୍କୁ ପଚାରିବାରେ ଉକ୍ତ ଅଞ୍ଚଳରେ ଅଦ୍ୟାବଧି ୨୩ଟି ହାତୀ ରହିଛନ୍ତି। ସେମାନଙ୍କ ଗତିବିଧି ଉପରେ ଆମେ ନଜର ରଖିଛୁ। ଯେଉଁ ଚାଷୀମାନଙ୍କର ଫସଲ ନଷ୍ଟ ହୋଇଛି ତାଙ୍କର ଯାଞ୍ଚ କରାଯାୟୀ ସରକାରୀ ହିସାବରେ ଯାହା ପାଇବା କଥା ସେମାନେ ପାଇବେ ବୋଲି କହିଛନ୍ତି।

Share
Tags: elephant