ଦିଗପହଣ୍ଡି,୮ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆମ୍ବଗାଁ, ନୂଆଗଡ, ପଳାସପୁର ଆଦି ଗ୍ରାମଗୁଡ଼ିକରେ ପ୍ରାୟ ୧ ମାସ ହେଲା ହାତୀ ଉପଦ୍ରବ ଜାରି ରହିଛି। ଦିଗପହଣ୍ଡି ବନାଞ୍ଚଳ ପାଟପୁର ସେକ୍ସନ ରତନେଇ ଜଙ୍ଗଲ ଅଧିନ ଶୁଳିଆ ପାହାଡ଼ରେ ଦୀର୍ଘବର୍ଷ ଧରି ରହୁଥିବା ୪ଟିକିଆ ହାତୀପଲ ସନ୍ଧ୍ୟାହେଲେ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି। ସେମାନେ ବ୍ୟାପକ ଧାନ, ମାଣ୍ଡିଆ, ପନିପରିବା ଫସଲ ନଷ୍ଟ କରୁଛନ୍ତି। ବୁଧବାର ରାତିରେ ହାତୀପଲ ଆମ୍ବଗାଁ ସଂଲଗ୍ନ ଘୋଡ଼ାହାଡ଼ ନଦୀକୁ ପାଣି ପିଇବାକୁ ଆସି ଗ୍ରାମର ଦଣ୍ଡାସି ବେହେରାଙ୍କ ପ୍ରାୟ ୧୨ ବସ୍ତା ଧାନ ଖାଇ ଦେଇଛନ୍ତି। ସେହିପରି ରୁନା ବେହେରାଙ୍କ ନଡ଼ିଆ ଗଛ ଓ କଦଳୀ ଗଛ ଖାଇ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ଦିଗପହଣ୍ଡି ଭାରପ୍ରାପ୍ତ ରେଞ୍ଜର ସନ୍ତୋଷ କୁମାର ବିଷୋୟୀ ରତ୍ନଙ୍କୁ ପଚାରିବାରୁ ହାତୀ ଚଳପ୍ରଚଳ ନେଇ ସୂଚନା ମିଳିବା ପରେ ବନବିଭାଗ ପକ୍ଷରୁ ବିଭିନ୍ନ ଗାଁରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି ବୋଲି କହିଛନ୍ତି। ସକାଳେ କିମ୍ବା ସାରେ ଜଙ୍ଗଲ ନିକଟକୁ ଯାଆନ୍ତୁ ନାହିଁ ବୋଲି ବନ କର୍ମଚାରୀଙ୍କ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ ସୂଚନା ଦିଆଯିବା ସହ ସଚେତନ କରାଯାଉଥିବା କହିଛନ୍ତି।
ପାଟପୁର ସେକ୍ସନ ଫରେଷ୍ଟର ସନ୍ତୋଷ କୁମାର ସାହୁଙ୍କୁ ପଚାରିବାରୁ ସେ ହକିଛନ୍ତି, ବନ ବିଭାଗର ହାତୀ ସ୍କ୍ବାର୍ଡ, ୮ ତାଲିମ ପ୍ରାପ୍ତ ହାତୀ ଟ୍ରାକରଙ୍କ ସମେତ ପାଟପୁର ଓ ଦିଗପହଣ୍ଡି ବନ କର୍ମଚାରୀମାନଙ୍କ ପକ୍ଷରୁ ଜଙ୍ଗଲ ମଧ୍ୟକୁ ଯାଇ ହାତୀ ଘଉଡାଇବା ପାଇଁ ରାତ୍ରୀକାଳୀନ ପାଟ୍ରୋଲିଂ କରାଯାଉଛି ବୋଲି କହିଛନ୍ତି। ଗୁରୁବାର ସକାଳେ ସେ ଏବଂ ଫରେଷ୍ଟ ଗାର୍ଡ ସାରଥି କାର୍ଜି, ପାରା ବନ କର୍ମଚାରୀ ସୁଶିଲ କୁମାର ପଣ୍ଡା ଆମ୍ବଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ହାତୀପଲ ଦିଗପହଣ୍ଡି ବନ ବିଭାଗ ପାଟପୁର ସେକ୍ସନ ରତନେଇ ଜଙ୍ଗଲରେ ଥିବା ଜଣାପଡିଛି। ବିଦ୍ୟୁତ ବିଭାଗ ଏବଂ ବନ ବିଭାଗ ପକ୍ଷରୁ ମିଳିତ ଭାବେ ପାଟ୍ରୋଲିଂ କରାଯାଉଛି। ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳ ପ୍ରତି ବିଭାଗ ସ୍ବତନ୍ତ୍ର ନଜର ରଖିବା ସହ ପ୍ରତିଦିନ ନିଜେ ମନିଟରିଂ କରୁଥିବା ଫରେଷ୍ଟର କହିଛନ୍ତି। ହାତୀ ଫସଲ କ୍ଷତି କଲେ ସମ୍ପୃକ୍ତ ଚାଷୀ ଅନୁକମ୍ପା ଆପ ଜରିଆରେ ଆବେଦନ କରିବେ। ଏହାପରେ ତଦନ୍ତ କରାଯାଇ ସେମାନଙ୍କୁ ବନ ବିଭାଗ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯିବ। ପୂର୍ବରୁ ମଧ୍ୟ କ୍ଷତିଗସ୍ତ ଚାଷୀଙ୍କୁ ଅନୁକମ୍ପା ମୂଳକ କ୍ଷତିପୂରଣ ଦିଆଯାଇଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ, ଗତ ୧୫ ତାରିଖ ରାତିରେ ସାନଖେମୁଣ୍ଡି ବ୍ଲକ ନୂଆଗଡ , ପଳାସପୁର, ଲୁଣିନାଠି, ଇନ୍ଦିରା ଆବାସ କଲୋନୀ ଗ୍ରାମ ସଂଲଗ୍ନ ଚାଷଜମି ଗୁଡିକରେ ହାତୀପଲ ବ୍ୟାପକ ଧାନ ଫସଲ ନଷ୍ଟ କରିଥିଲେ। ଅନ୍ୟପକ୍ଷରେ ୨୦୨୫ ଜାନୁଆରୀ ୨ ଓ ୩୦ ତାରିଖରେ ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଦ୍ୱିତୀୟ ଢେପାଗୁଡ଼ା ଓ ଭୀମନଗର ଗ୍ରାମ ନିକଟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପୃଥକ ଭାବେ ୨ଟି ମାଈ ହାତୀଙ୍କ ମୃତ୍ୟୁ ହୋଇଥିଲା।