ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି।
ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ ଏକ ଦନ୍ତା ହାତୀ ଗାଁରେ ପଶି ଥିଲା। ପରେ ହାତୀଟି ଗାଁରେ ଉତ୍ପାତ ମଚାଇବା ସହ ଚାଷୀଙ୍କ ଫସଲ ନଷ୍ଟ କରିଥିଲା। ଏପରିକି ହାତୀଟି ଗୋଟିଏ ବାଇକ୍ ଏବଂ ଏକ ସାଇକେଲ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏଭଳିସ୍ଥିତିରେ ଗ୍ରାମବାସୀ ଏକାଠି ହୋଇ ହାତୀକୁ ଘଉଡ଼ାଇଥିଲେ। ହେଲେ ହାତୀଟି ଗାଁ ଛାଡି ଭରତାପୁର ଗାଁକୁ ଚାଲିଯାଇଥିଲା।
ଅନ୍ୟପକ୍ଷେ ହାତୀଟି ଅଞ୍ଚଳରେ ଉପସ୍ଥିତି ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ଖବର ପାଇ ବନ ବିଭାଗର ଏକ ଟିମ୍ ଗାଁରେ ପହଞ୍ଚି ହାତୀର ଗତିବିଧି ଉପରେ କଡ଼ା ନଜର ରଖିଛି। ହାତୀଟି ଗୋଠରୁ ଅଲଗା ହୋଇ ଏଣେତେଣେ ବୁଲାବୁଲି କରୁଛି। ତୁରନ୍ତ ହାତୀକୁ ଘଉଡାଇ ଆବଶ୍ୟକ କ୍ଷତିପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।