ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି ରହିଛି। ସନ୍ଧ୍ୟା ହେବା ମାତ୍ରେ ହାତୀ ଗାଁ ମୁଣ୍ଡକୁ ଆସି ଲୋକଙ୍କ ଘରଦ୍ୱାର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରୁଛି ।

ଶୁକ୍ରବାର ରାତିରେ ଏକ ଦନ୍ତା ହାତୀ ଘୋଷରାମାଳ ଫରେଷ୍ଟ ସେକ୍ସନର କୁଡାନାଳୀ ଗ୍ରାମରେ ପଶି ରଶ୍ମିତା ରାଉତ ଏବଂ ମହ୍ଲାର ସାହିର ସୁବର୍ଣ୍ଣ ଦେହୁରୀଙ୍କ ଘର ଭାଙ୍ଗି ଦେଇଥିଲା। ରଶ୍ମିତାଙ୍କ ଘର କାନ୍ଥ ଭାଙ୍ଗିବା ସହ ବସ୍ତାରେ ରଖାଯାଇଥିବା ଧାନ ଖାଇବା ସହ ଫିଙ୍ଗାଫୋପଡା କରିଛି। ଗ୍ରାମରେ ପ୍ରତ୍ୟେକ ବର୍ଷ ହାତୀ ଉପଦ୍ରବରେ ଲୋକ କ୍ଷତିଗ୍ରସ୍ତ ହୋଇ ଆସୁଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପ୍ରକାର ସହାୟତା ଯୋଗାଇ ଦିଆ ଯାଉ ନ ଥିବା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଏହି ହାତୀକୁ ଘଉଡ଼ାଇବା ଦିଗରେ ବନ ବିଭାଗ ଠୋସ ପଦକ୍ଷେପ ନେବା ସହ କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

Share