ବେତନଟୀ, ୨୫ା୧୦ (ଧରଣୀଧର ମହାନ୍ତି): ଖାଦ୍ୟ ଅନ୍ବେଷଣରେ ବନ୍ୟଜନ୍ତୁ ଜନବସତିମୁହାଁ ହେଉଛନ୍ତି। ବିଭିନ୍ନ ସମୟରେ ହାତୀପଲ ଜନବସତିରେ ପଶି ଘରଦ୍ୱାର ଭାଙ୍ଗିବା ସହ ଚାଷଜମିରେ ପଶି ଦଳମକଚି ନଷ୍ଟ କରିଦେଉଛନ୍ତି। ଅନେକ ସମୟରେ ଜୀବନହାନି ମଧ୍ୟ ହେଉଛି। ମୟୂରଭଞ୍ଜ ଜିଲା ବେତନଟୀ ବନାଞ୍ଚଳ ଅଧୀନ ବିଭିନ୍ନ ଜଙ୍ଗଲରେ ରହୁଥିବା ହାତୀପଲ ଆଖପାଖ ଗାଁକୁ ପଶି ଆସୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଛନ୍ତି। ଶନିବାର ଏକ ଦନ୍ତା ହାତୀ ରାସ୍ତା ଉପରେ ଏକ ବସ୍କୁ ଶୁଣ୍ଢରେ ଠେଲିବା ସହ ଗୋଡ଼ାଇ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ବସ୍ରେ ଥିବା ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଭୟଭୀତ ହୋଇପଡିଥିଲେ। କୌଶଳକ୍ରମେ ଡ୍ରାଇଭର ବସ୍ଟିକୁ ଚଳାଇ ନେଇ ସେଠାରୁ ପଳାଇଯାଇଥିଲେ। ଫଳରେ ଯାତ୍ରୀମାନେ ମୃତ୍ୟୁମୁଖରୁ ବଞ୍ଚିଯାଇଥିଲେ।
ଶନିବାର ସକାଳେ ବେତନଟୀ ବ୍ଲକର ମେର୍ଦାଠାରୁ ସାରସକଣା ଯାଉଥିବା ଏକ ବସ୍ ମେର୍ଦା ବେତନଟୀ ରାସ୍ତାର ଭୁରକୁଣ୍ଡି ଗ୍ରାମ ନିକଟରେ ରହିଥିଲା। ହଠାତ୍ ବସ୍ ସମ୍ମୁଖକୁ ଏକ ଦନ୍ତା ହାତୀ ଚାଲିଆସି ଶୁଣ୍ଢରେ ଠେଲି ଗଡାଇଦେବା ପାଇଁ ଚେଷ୍ଟା କରିଥିଲା। ସ୍ଥାନୀୟ ଗ୍ରାମବାସୀ ହାତୀକୁ ଘଉଡ଼ାଇବା ପାଇଁ ଚେଷ୍ଟା କରୁଥିବା ବେଳେ କୌଶଳକ୍ରମେ ଡ୍ରାଇଭର ବସ୍କୁ ଦ୍ରୁତଗତିରେ ଚଳାଇ ସେଠାରୁ ପଳାଇଯାଇଥିଲା। ଫଳରେ ବସ୍ରେ ଥିବା ୫୦ରୁ ଊର୍ଦ୍ଧ ଯାତ୍ରୀ ବିପଦମୁଖରୁ ବଞ୍ଚିଯାଇଥିଲେ। ବେତନଟୀ ବନବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ଟିମ୍ ଠିକ୍ ସମୟରେ ଘଟଣାସ୍ଥଳରେ ପହଞ୍ଚି ପାରି ନ ଥିଲା। ଉଲ୍ଲେଖଯୋଗ୍ୟ, ବେତନଟୀ ରେଞ୍ଜର ଅସନବଣି ଜଙ୍ଗଲରେ ଗଡିଗାଁ ନିକଟରେ ୧୮ଟି ହାତୀ ରହିଥିଲା ବେଳେ ଶୁକ୍ରବାର ରାତିରେ ଏହି ହାତୀ ପଲ ମନ୍ତାପାଳ ଜଙ୍ଗଲରେ ପ୍ରବେଶ କରିଛନ୍ତି। ହାତୀପଲ ରହୁଥିବା ପାଖ ଜଙ୍ଗଲରୁ ଗୋଟିଏ ଦନ୍ତା ହାତୀ ଶନିବାର ସକାଳେ ଅସନବଣୀ ଜଙ୍ଗଲରୁ ବାହାରି ବସ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ଏ ସମ୍ପର୍କରେ ବେତନଟୀ ଫରେଷ୍ଟରଙ୍କୁ ପଚାରିବାରୁ ଭୁରକୁଣ୍ଡି ନିକଟରେ ଘଟିଥିବା ଘଟଣା ଆମେ ପହଞ୍ଚିଲା ବେଳକୁ ଦନ୍ତା ହାତୀ ସେଠାରେ ନ ଥିବା କହିଛନ୍ତି।