ବଣାଇଁ, ୧୩।୧(ପ୍ରଦୀପ ତ୍ରିପାଠୀ): ଗତକାଲି ଅପରାହ୍ନରେ ବଣାଇଁ ବନଖଣ୍ଡ ଜର୍ଡା ବନାଞ୍ଚଳ ଅନ୍ତର୍ଗତ କେଲୋ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ହାତୀ ଶାବକର ମୃତ୍ୟୁ ଘଟିଥିବା ସୂଚନା ବିଭାଗକୁ ମିଳିଥିଲା। ସୂଚନା ମିଳିବା ପରେ ବଣାଇଁ ଡିଏଫଓ ଦାୟିତ୍ୱରେ ଥିବା ଦେଓଗଡ଼ ଡିଏଫଓଙ୍କ ନିର୍ଦ୍ଦେଶରେ ବନ ଅଧିକାରୀ, ପଶୁ ଚିକିତ୍ସକ ଓ ପାରା ଉଦ୍ଧାରକାରୀ ଦଳ ମିଶି ଆଜି ଘଟଣାସ୍ଥଳକୁ ଯାଇଥିଲେ। ଲଗାତାର ଟ୍ରାକିଂ ପ୍ରୟାସ ପରେ ଆଜି ଗୋଟିଏ ପୁରୁଷ ମୃତ ହାତୀ ଶାବକର ଦେହ ମିଳିଥିଲା। ବଣାଇଁ ଓ ଗୁରୁଣ୍ଡିଆର ପ୍ରାଣିଧନ ଚିକିତ୍ସକ , ବଣାଇଁର ଦାୟିତ୍ୱରେ ଥିବା ଡିଏଫଓଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କାର୍ଯ୍ୟ ସମ୍ପାଦନ କରିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଲା ଯେ ହାତୀ ଶାବକଟି ଜନ୍ମ ସମୟରେ ମୃତ ଥିଲା। ସଠିକ୍ କାରଣ ନିର୍ଣ୍ଣୟ କରିବା ପାଇଁ ମୃତଦେହର ବିଭିନ୍ନ ଅଂଶରୁ ନମୁନା ସଂଗ୍ରହ କରି ଅଟପ୍ସି କରାଯାଇଥିଲା ଏବଂ ସେଗୁଡ଼ିକୁ ପରୀକ୍ଷା ନିମନ୍ତେ ଭୁବନେଶ୍ୱରକୁ ପଠାଯାଇଥିବା ନେଇ ବିଭାଗୀୟ ସୂତ୍ରରୁ ଜଣାପଡିଛି ।