ପାଟଣା,୨୮।୧(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଞ୍ଚଳ ରେ ଗୋଠ ଛଡା ଦନ୍ତା ଉତ୍ପାତ କରି ୭ରୁ ଉଦ୍ଧର୍ବ ଘର ଭାଙ୍ଗିବା ସହ ପନିପରିବା ଚାଷ ନଷ୍ଟ କରି ଘରେ ଥିବା ଧାନ ଚାଉଳ ଖାଇ ନଷ୍ଟ କରିଛି। ସୋମବାର ରାତିରେ ଖମୁଁଆ ଗାଁ ଝାଟି ଆଳି ସାହି ଲମ୍ବୋଦର ମହାନ୍ତ ଟାଇଲ ଘର ଭାଙ୍ଗି ଦେଇଛି। ଘର ଭିତରେ ଥିବା ସ୍ବାମୀ ସ୍ତ୍ରୀଙ୍କ ସହ ୨ ନାବାଳକ ଆସନ୍ନ ବିପଦରୁ ବର୍ତ୍ତି ଯାଇଛନ୍ତି। ସେହିଭଳି ମଧାପୂର୍ ଧତଳ ଚନ୍ଦ୍ର ମୋହନ ମୁଣ୍ଡା, ରୀଙ୍ଗା ମୁଣ୍ଡା, ଦଶମା ମୁଣ୍ଡା, ଜିଆଣି ସାହି କର୍ମୁ ମହାନ୍ତ, ମୂଷା ଖରିର କିରାଣୀ ଦାସ, ଶରତ ଦାସଙ୍କ ଘରକୁ ଦନ୍ତା ଭାଙ୍ଗି ଦେଇଛି। ଦୀର୍ଘ ୪ ମାସରୁ ଉଦ୍ଧର୍ବ ସମୟ ହେବ ଦନ୍ତା ବିଭିନ୍ନ ସମୟ ଅନ୍ତରାଳରେ ଉପଦ୍ରବ କରି ଆସୁଥିବାରୁ ଲୋକେ ଦନ୍ତା ଉତ୍ପାତରେ ଅତିଷ୍ଟ ହୋଇ ସାରିଲେଣି। ଏନେଇ ବନ ବିଭାଗ ଠୋସ ପଦକ୍ଷପ ଗ୍ରହଣ କରୁନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦନ୍ତାଟି ପାଟଣା ରେଞ୍ଜ ପାଟଣା ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ମାଧପୁର୍ରେ ଡେରା ପକାଇଛି।