ହାତୀ ଆକ୍ରମଣରେ ୫ ବର୍ଷର ଶିଶୁର ମୃତ୍ୟୁ ଘଟଣା: ସହାୟତାର ହାତ ବଢ଼ାଇଲେ ସମାଜସେବୀ

ଲାଞ୍ଜିଗଡ଼,୮।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ ବନାଞ୍ଚଳ ବିଜେପୁର ଥାନା ତ୍ରିଲୋଚନପୁର ପଞ୍ଚାୟତର ହରଡIଗୁଡା  ଗ୍ରାମରେ ଗତ ୩ ତାରିଖ ସୋମବାର ସକାଳେ ଦୁଇ ନାବାଳକ ଭାଇଙ୍କୁ ହାତୀ ଆକ୍ରମଣ କରିଥିଲା। ଏଥିରେ ବଡଭାଇ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ବେଳେ ସାନଭାଇର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ସହାୟତାର ହାତ ବଢ଼ାଇଛନ୍ତି ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ସଭାପତି ତଥା ସମାଜସେବୀ ଶ୍ରୀଧର ପେଶନିଆ ।
ମୃତ ନାବାଳକ ଜଣକ ହରଡ।ଗୁଡା ଗାଁର କାଣୁ ମାଝୀର ସାନପୁଅ ରବି ମାଝୀ(୫) ହୋଇଥିବା ବେଳେ ଗୁରୁତର ଜଣକ ବଡପୁଅ ସାମୱରୁ ମାଝୀ (୮) ବୋଲି ସୂଚନା ମିଳିଥିଲା। କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ବର୍ଷ ସାରା ଜଙ୍ଗଲୀ ହାତୀଙ୍କ ଉପଦ୍ରବ ହେଉଥିବା ବେଳେ ଲୋକଙ୍କ ଧନଜୀବନ ସମେତ ଚାଷବାସ ନଷ୍ଟ କରୁଥିବା ଦେଖିବାକୁ ମିଳୁଛି ।

ସୂଚନାନୁସାରେ, ତ୍ରିଲୋଚନପୁର ପଞ୍ଚାୟତ ଅନ୍ତର୍ଗତ କୁନାକIଡୁ ଗାଁର କାଣୁ ମାଝୀ କିଛି ବର୍ଷ ପୂର୍ବରୁ ନିଜ ସମ୍ପର୍କୀୟଙ୍କ ଜାଗାରେ ଘର ତିଆରି କରି ସ୍ତ୍ରୀ ଓ ତିନିପୁଅ ପରିବାର ସହିତ ରହି ପୋଡୁଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ । ସୋମବାର ସକାଳ ପ୍ରାୟ ୭ ଘଣ୍ଟା ସମୟରେ କାଣୁ ମାଝୀ ଓ ତାଙ୍କ ସ୍ତ୍ରୀ ଚାଷଜମିକୁ ଯାଉଥିବାବେଳେ ଦୁଇପୁଅ ମଧ୍ୟ କିଛି ସମୟ ପରେ ତାଙ୍କ ପଛେ ପଛେ ଯାଉଥିଲେ। ଏହି ସମୟରେ ନିକଟସ୍ଥ ଜଙ୍ଗଲରୁ ଏକ ଦନ୍ତା ହାତୀ ଆସି ଦୁଇଭାଇଙ୍କୁ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ସାନଭାଇର ମୃତ୍ୟୁ ହୋଇଥିବା ବେଳେ ବଡଭାଇ ଗୁରୁତର ହୋଇଥିଲେ । ପାଟି ଶୁଣି ଘଟଣାସ୍ଥଳରେ ପରିବାର ଓ ଗାଁ ଲୋକେ ପହଞ୍ଚି ହାତୀକୁ ଘଉଡ଼ାଇ ବନ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ନିଜ ନାବାଳକ ପୁଅଙ୍କ ମଧ୍ୟରୁ ଜଣକୁ ହରାଇ ବୁକୁ ଫଟାଇ ଜନ୍ମଦାତ୍ରୀ ମାଆ କାନ୍ଦୁଥିବା ବେଳେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ନିଷ୍ପାପ ନାବାଳକ ଶିଶୁ ପୁତ୍ରକୁ ହରାଇ ବାପା ଓ ମା’ଙ୍କ ଆଖିରୁ ଲୁହ ଶୁଖୁନାହିଁ। ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ଼ ଆଞ୍ଚଳିକ ବିକାଶ ପରିଷଦର ସଭାପତି ତଥା ସମାଜସେବୀ ଶ୍ରୀଧର ପେଶନିଆ ଶନିବାର ହରଡ଼ାଗୁଡା ଗାଁରେ ପହଞ୍ଚି ମୃତ ଶିଶୁଙ୍କ ବାପମା’ଙ୍କୁ ସମବେଦନା ଜଣାଇବା ସହିତ ରାସନ ସାମଗ୍ରୀ, ଲୁଗାପଟା, ଶୀତ ବସ୍ତ୍ର ସମେତ ୧୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ତାଙ୍କ ସହିତ ତ୍ରିଲୋଚନପୁର ନାଏବ ସରପଞ୍ଚ ତରାଣୀ ସେନ ବାଗ, ସମାଜସେବୀ ଶ୍ରୀମୁଖ ଅଗସ୍ତି, ଲାଞ୍ଜିଗଡ଼ ପ୍ରେସକ୍ଳବ ଉପ ସଭାପତି କ୍ଷମାନିଧି ମହାଖୁଡ,ଖବରଦାତା ରମେଶ ଚନ୍ଦ୍ର ନାୟକ, ପିତାମ୍ବର ଦଳପତି ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share