ହାତୀ ଉପଦ୍ରବ:ଭାଙ୍ଗିଲା ଘର-ଅଙ୍ଗନୱାଡି କେନ୍ଦ୍ର

ଦେବଗଡ,୨୦ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ବନଖଣ୍ଡ କଂସର ଫରେଷ୍ଟ ସେକ୍ସନ ସଡୋ ବିଟ ଅନ୍ତର୍ଗତ ବେଲୁଆମ ଏବଂ ସଡୋ ଗ୍ରାମରେ ରବିବାର ରାତିରୁ ଏକ ଦନ୍ତା ହାତୀର ଉପଦ୍ରବ ଜାରି ରହିଛି। ହାତୀଟି ଗାଁ ଭିତରେ ପଶି ଘର ଭାଙ୍ଗିବା ସହ ଲୋକଙ୍କୁ ଆକ୍ରମଣ ପାଇଁ ଗୋଡାଉଛି। ଅନେକ ଘର ଭାଙ୍ଗି ଧାନ, ଚାଉଳ, ମୁଗ ଓ ବିରି ଆଦି ଖାଦ୍ୟଶସ୍ୟ ଖାଇବା ସହ ଆସବାବପତ୍ର ନଷ୍ଟ କରିଥିବା ଜଣାପଡିଛି। ସମ୍ବଲପୁର ଜିଲା ବାମରା ବନ୍ୟପ୍ରାଣୀ ଅଭୟାରଣ୍ୟ ଭୁତେଲ ଫରେଷ୍ଟ ସେକ୍ସନ ଅଞ୍ଚଳରୁ ଆସିଥିବା ଉକ୍ତ ଦନ୍ତାହାତୀ ଉପଦ୍ରବ ଯୋଗୁ ସ୍ଥାନୀୟ ଲୋକ ଭୟଭୀତ ହୋଇ ପଡିଛନ୍ତି। ବନବିଭାଗ କର୍ମଚାରୀ ହାତୀ ଘଉଡାଇବା ପାଇଁ ନିଆଁ ହୁଳା ଦେଖାଇବା ସହିତ ବିଭିନ୍ନ କୌଶଳ ଆପଣାଉଥିଲେ ମଧ୍ୟ ସଫଳ ହୋଇପାରି ନାହାନ୍ତି। ହାତୀଟି ହାତୀ ପଲରେ ମିଶିପାରୁ ନ ଥିବାରୁ ରାଗରେ ହିଂସ୍ର ହୋଇପଡିଥିବା ବନ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି । ଉକ୍ତ ଦନ୍ତା ହାତୀଟି ସୋମବାର ରାତିରେ ବେଲୁଆମ ଗ୍ରାମର ରାସନ୍ଦ କାଲୋ ଓ ହିରା କାଲୋଙ୍କ ଘରର କାନ୍ଥ ଭାଙ୍ଗି ଘର ଭିତରେ ଥିବା ଧାନ ଓ ଚାଉଳ ଆଦି ଖାଇଛି । ସେହିପରି ସଡୋ ଗ୍ରାମର ସାନେତ ତିର୍କୀ ଏବଂ ଜହନ ଟୁଟାଙ୍କ ଘରର କାନ୍ଥ ଭାଙ୍ଗିବା ସହ ଗାଁରେ ଥିବା ଅଙ୍ଗନୱାଡି କେନ୍ଦ୍ର ଭିତରେ ପଶି ଭଙ୍ଗାରୁଜା କରିଥିବା ଜଣାପଡିଛି। ଏଥିସହ ସେହି ଅଞ୍ଚଳର ଏକାଧିକ ବଗିଚାରେ ପଶି କଦଳୀ ଗଛ ସମେତ ପନିପରିବା କ୍ଷୟକ୍ଷତି କରିଛି। ହାତୀଟି ସୋମବାର ସକାଳେ ତୁରାଙ୍ଗ ଗ୍ରାମ ନିକଟ କଂସର ସଂରକ୍ଷିତ ଜଙ୍ଗଲରେ ଥିବା ବେଳେ ଧନ ଜୀବନ ସୁରକ୍ଷା ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଦେବଗଡ ବନାଞ୍ଚଳ ଅଧିକାରୀ ଅମୂଲ୍ୟ ସେନାପତିଙ୍କ ନେତୃତ୍ୱରେ କଂସର ଫରେଷ୍ଟର ଦୟାସାଗର ପ୍ରଧାନ ଓ ଫରେଷ୍ଟଗାର୍ଡ କାର୍ତ୍ତିକେଶ୍ୱର ଦେହୁରୀ, ମାନସୀ ମଞ୍ଜରୀ ନାୟକ, ମିଲନ ଦାସ ଓ ବୀଣାପାଣି ଭୋଇ ପ୍ରମୁଖ ହାତୀ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଥିବା ସୂଚନା ମିଳିଛି ।