ପାଣି ଆଣିବାକୁ ଯାଇ ହାତୀ ହାବୁଡରେ ପଡ଼ିଲେ, ଦୌଡୁଥିଲେ ହେଲେ…

ଭଞ୍ଜନଗର,୧୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ତୋଲଡି ନୂଆଁସାହିରେ ଶୁକ୍ରବାର ଅପରାହ୍ନରେ ହାତୀଆକ୍ରମଣରେ ଜଣେ ମହିଳା ଚାଷୀ ମୃତ୍ୟୁବରଣ କରିଛନ୍ତି। ସେ ହେଲେ ନିଲାନ୍ଦ୍ରି ବେହେରା (୩୮) । ଖବର ପାଇ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।
ଘଟଣାରୁ ପ୍ରକାଶ ଯେ, ସୁରେସନ ବେହେରାଙ୍କ ସ୍ତ୍ରୀ ନିଲାନ୍ଦ୍ରି  ଅପରାହ୍ନରେ ନଦୀକୁ ପାଣି ଆଣିବାକୁ ଯାଇଥିଲେ। ଏହି ସମୟରେ ଗୋଟିଏ ଦନ୍ତା ହାତୀ ମଧ୍ୟ ନଦୀକୁ ପାଣି ପିଇବାକୁ ଆସିଥିଲା। ନିଲାନ୍ଦ୍ରି ଦେଖି ସେଠାରୁ ଦୌଡ଼ି ପଳାଉଥିଲେ। କିନ୍ତୁ ହାତୀଟି ନିଲାନ୍ଦ୍ରିଙ୍କୁ ଗୋଡ଼ାଇ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ନିଲାନ୍ଦ୍ରଙ୍କ ମୃତ୍ୟୁ ଘଟିଛି। ଖବର ପାଇ ତାଙ୍କ ସ୍ବାମୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପରେ ବନ ବିଭାଗ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ବନ ବିଭାଗ କର୍ମଚାରୀ  ଘଟଣାସ୍ଥଳରେ ପହଞ୍ଚି ନିଲାନ୍ଦ୍ରି କାଳେ ବଞ୍ଚିଥିବ ଭାବି ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ନେଇଥିଲେ। ମେଡ଼ିକାଲରେ ନିଲାନ୍ଦ୍ରିଙ୍କୁ  ଡାକ୍ତର ମୃତ ଘୋଷଣା କରିଥିଲେ।
Dharitri – Odisha’s No.1 Odia Daily