Kitchen and house appliances
ନୂଆଦିଲ୍ଲୀ: ପ୍ରାୟ ୫୦ ସାମଗ୍ରୀ ଉପରେ କେନ୍ଦ୍ର ସରକାର ଆମଦାନୀ ଟିକସ ବଢ଼ାଇପାରନ୍ତି। ୫ରୁ ୧୦% ଟିକସ ବୃଦ୍ଧି ନେଇ ସରକାର ବର୍ତ୍ତମାନ ବିଚାର କରୁଛନ୍ତି। ସ୍ମାର୍ଟଫୋନ, ଇଲେକ୍ଟ୍ରୋନିକ୍ସ କମ୍ପୋନେଣ୍ଟ, ଆପ୍ଲାଏନ୍ସ ଭଳି ଅନ୍ୟ ସାମଗ୍ରୀ ଏହା ମଧ୍ୟରେ ସାମିଲ ରହିଛି। ବଜେଟରେ ଟିକସ ବଢ଼ାଇବା ପ୍ରସ୍ତାବ ରଖାଯିବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ନାମ ଗୋପନ ରଖି ରଏଟର୍ସକୁ ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଘରୋଇ ବଜାରର ମାନୁଫାକଚରିଂକୁ ଉତ୍ସାହିତ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆତ୍ମନିର୍ଭର ଭାରତ ଯୋଜନାକୁ ଉତ୍ସାହିତ କରିବା ଲାଗି ସରକାର ଆମଦାନୀ ଟିକସରେ ଏଭଳି ବୃଦ୍ଧି କରିବେ ବୋଲି କୁହାଯାଉଛି। ବର୍ତ୍ତମାନ ସରକାରଙ୍କ ରାଜସ୍ବ କ୍ଷତିଗ୍ରସ୍ତ ହୋଇ ରହିଛି। କରୋନା ଯୋଗୁ ବଜାର ଉପରେ ସଙ୍କଟ ସ୍ଥିତି ଲାଗି ରହିଛି। ଆମଦାନୀ ଟିକସ ବଢାଇବା ଦ୍ୱାରା ସରକାର ପ୍ରାୟ ୧୫ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ରାଜସ୍ବ ସଂଗ୍ରହ କରିବା ଯୋଜନା ରଖିଥିବା ଜଣେ ଅଧିକାରୀ କହିଛନ୍ତି। ଏହି ୨ ଅଧିକାରୀ କହିଛନ୍ତି, ଟିକସ ବଢ଼ିଲେ ଇ-ଯାନ, ଫର୍ନିଚର ଭଳି ଅନ୍ୟ ସାମଗ୍ରୀ ଦର ବଢ଼ିବ। ଏହା ହେଲେ ସୁଇଡେନର ଫର୍ନିଚର ମେକର ଆଇକିଆ ଏବଂ ଆସନ୍ତା ବର୍ଷ ବଜାରକୁ ଆସିବାକୁ ଥିବା ୟୁଏସ୍ର ଇ-କାର୍ କମ୍ପାନୀ ଟେସ୍ଲା ପ୍ରଭାବିତ ହେବେ।
ଫର୍ନିଚର ଏବଂ ଇ-ଯାନ ଉପରେ କେତେ ପରିମାଣର ଟିକସ ବଢିବ ଅଧିକାରୀମାନେ ସ୍ପଷ୍ଟ ଭାବେ କିଛି କହି ନାହାନ୍ତି। ଭାରତରେ ଟିକସ ହାର ଉଚ୍ଚରେ ରହୁଥିବାରୁ ପୂର୍ବରୁ ଉଭୟ ଆଇକିଆ ଏବଂ ଟେସ୍ଲା ଅଧିକାରୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏହାବାଦ ଫ୍ରିଜ୍ ଏବଂ ଏସି ଦାମ୍ ମଧ୍ୟ ବଢ଼ିବା ନେଇ ଶୁଣାଯାଉଛି। ଏ ସମ୍ପର୍କରେ ଇ-ମେଲ୍ ଯୋଗେ ଅର୍ଥ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ ଲୋଡ଼ାଯାଇଥିବା ବେଳେ ଏହା ମିଳିପାରିନାହିଁ। ୨୦୨୧-୨୨ ଲାଗି ଫେବୃୟାରୀ ପହିଲାରେ ବଜେଟକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଉପସ୍ଥାପନ କରିବେ। ସୂଚନାଯୋଗ୍ୟ, ଗତ ବର୍ଷ ମଧ୍ୟ ସରକାର ଫୁଟ୍ଓ୍ବେର, ଫର୍ନିଚର, ଖେଳନା, ଇଲେକ୍ଟ୍ରିକାଲ ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ପ୍ରାୟ ୨୦% ଆମଦାନୀ ଟିକସ ବଢ଼ାଇଥିଲେ।