ଦାରିଙ୍ଗବାଡି, ୧୭।୯ (ଅରୁଣ ସାହୁ): ଆଜି ପବିତ୍ର ବିଶ୍ୱକର୍ମା ପୂଜା। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ବିଦ୍ୟୁତ କାର୍ଯ୍ୟାଳୟ ପରିସର ମଧ୍ୟରେ ମଧ୍ୟ ଏହି ପୂଜା ବଡ଼ ଧୂମଧାମରେ ପାଳିତ ହୋଇଯାଇଛି।ତେବେ ଏହି ପୂଜାକାର୍ଯ୍ୟ ସହ ବିଭାଗ ଏକ ସଚେତନତା କାର୍ଯ୍ୟକ୍ରମକୁ ଅଧିକା ଗୁରୁତ୍ୱ ଦେଇଥିବା ଦେଖିବାକୁ ମିଳିଛି। ପୂଜା ମଣ୍ଡପର ମୁଖାଶାଳାରେ ଲୋକଙ୍କୁ ବିଦ୍ୟୁତ ଦୁର୍ଘଟଣାରୁ ସୁରକ୍ଷା ଦେବାପାଇଁ ଏକ ସ୍ବତନ୍ତ୍ର ସଚେତନ ମଣ୍ଡପ ନିର୍ମାଣ କରାଯାଇଛି, ସେଠାରେ ଅସୁରକ୍ଷିତ ଘର, ଟ୍ରାନ୍ସଫର୍ମର ନିକଟରେ କିଭଳି ସୁରକ୍ଷିତ ରହିବେ, ବିଦ୍ୟୁତ କର୍ମଚାରୀଙ୍କ ସୁରକ୍ଷା, ବିଦ୍ୟୁତ ଖୁଣ୍ଟଠାରୁ ଘରର ଦୂରତା କେତେ ରହିବା ଆବଶ୍ୟକ ଓ ସୁରକ୍ଷା ଘର ଆଦି ସମ୍ପର୍କରେ ସଚେତନ କରାଯାଇଛି। ସେହିଭଳି ବନ୍ୟପ୍ରାଣୀ ବିଦ୍ୟୁତ ଦୁର୍ଘଟଣାରୁ କିଭଳି ସୁରକ୍ଷିତ ରହିବେ ଓ ଏଥିପାଇଁ ଆବଶ୍ୟକ ପଦକ୍ଷେପ ବିଷୟରେ ସଚେତନ ମଣ୍ଡପରେ ପ୍ରସ୍ତୁତ ସମସ୍ତ ଦୃଶ୍ୟ ଦେଖିବାକୁ ମିଳିଛି। ଦୀର୍ଘ ୨୭ ବର୍ଷ ଧରି ବିଦ୍ୟୁତ କାର୍ଯ୍ୟାଳୟରେ ପ୍ରତିବର୍ଷ ଏହି ପୂଜା କରାଯାଉଥିବା ବେଳେ ଗ୍ରାମବାସୀ, ବିଦ୍ୟୁତ ଉପଭୋକ୍ତାମାନେ ଏହି ପୂଜାରେ ସାମିଲ ହେଉଛନ୍ତି। ତେଣୁ ଚଳିତ ବର୍ଷ ବିଭାଗର ଦାରିଙ୍ଗବାଡି କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ଶିବ ପ୍ରସାଦ ନାୟକଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ ଏଭଳି କାର୍ଯ୍ୟକ୍ରମ ଜରିଆରେ ସଚେତନତା ବାର୍ତ୍ତା ଦେଇଥିବା ସେ କହିଛନ୍ତି।
ବିଶ୍ୱକର୍ମାଙ୍କୁ ଦର୍ଶନ କରିବାକୁ ଆସି ଗ୍ରାମବାସୀ, ଉପଭୋକ୍ତାମାନେ ଏହି ସଚେତନ ମଣ୍ଡପକୁ ବୁଲି ଦେଖୁଛନ୍ତି। ସେମାନଙ୍କୁ ବିଦ୍ୟୁତ କର୍ମଚାରୀମାନେ ଉକ୍ତ ମଣ୍ଡପରେ କରାଯାଇଥିବା ଅସୁରକ୍ଷିତ ଘର, ସୁରକ୍ଷିତ ଘର, ପକ୍ଷୀ କୁ ସୁରକ୍ଷା ପାଇଁ କରାଯାଇଥିବା ବାର୍ଡ଼ ଗାର୍ଡ, ସୋଲାର ଆଲୁଅ, କର୍ମଚାରୀଙ୍କ ବ୍ୟବହାର କରାଯାଉଥିବା ସାମଗ୍ରୀ ସମ୍ପର୍କରେ ସଚେତନ କରୁଥିବା ଦେଖିବାକୁ ମିଳିଛ। ଏହି ପୂଜା ଉତ୍ସବରେ ପୂଜକ ବୁଲୁ ତ୍ରିପାଠୀ ପୂଜାର୍ଚ୍ଚନା କରିଥିବା ବେଳେ ସହକାରୀ ଯନ୍ତ୍ରୀ ଶିବ ପ୍ରସାଦ ନାୟକ କର୍ତ୍ତା ଭାବେ ସମ୍ପାଦନା କରିଥିବା ବେଳେ ବିଦ୍ୟୁତ ବିଭାଗର ଜିଲା ମୁଖ୍ୟ ତଥା ନିର୍ବାହୀ ଯନ୍ତ୍ରୀ ଇଂ ମାନସ ରଞ୍ଜନ ମହାରଣା ମୁଖ୍ୟ ଅତିଥିଭାବେ ଯୋଗଦେଇ ଦାରିଙ୍ଗବାଡି କର୍ମଚାରୀଙ୍କ ଏଭଳି ନିଆରା ସଚେତନ କାର୍ଯ୍ୟକ୍ରମକୁ ସାରା ଜିଲାରେ ଅନ୍ୟ ବ୍ଲକ ଗୁଡିକରେ କରିିବାକୁ ସେ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି। କାର୍ଯ୍ୟକ୍ରମକୁ ବିଦ୍ୟୁତ କର୍ମଚାରୀ ନିରଞ୍ଜନ ମହାରଣା, ଡି.ସନ୍ତୋଷ ଦୋରା, ଗଣପତି ଗୌଡ଼, କ୍ରିଷ୍ଣା ଚନ୍ଦ୍ର ମତି,ଅଜିତ କୁମାର ସାହୁ,ରାକେଶ କୁମାର ପରିଡା,ହେମନ୍ତ କୁମାର ନାୟକ, ସତ୍ୟ ଶିବ ଚୌଧୁରୀ, ଜିତୁନା ସାହୁ, କମଳ କାନ୍ତ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।