ବାତ୍ୟା ‘ମୋନ୍ଥା’ ଆସିବା ପୂର୍ବରୁ ବିଦ୍ୟୁତ ସେବା ଅଚଳ: ଉପଭୋକ୍ତା ହଟହଟା

ଦାରିଙ୍ଗବାଡି, ୨୮।୧୦(ଅରୁଣ ସାହୁ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋନ୍ଥା’ର ବଡ଼ ପ୍ରଭାବ ଆସିବା ପୂର୍ବରୁ ବିଦ୍ୟୁତ ସେବା ଅଚଳ। ଗତକାଲିଠାରୁ ବାତ୍ୟାର ପ୍ରଭାବ ସାମାନ୍ୟ ଭାବେ ପବନ ବୋହିବା ସହ ଝିପିଝିପି ବର୍ଷା ଲାଗିରହିଛି। ତେବେ ଏହାଠାରୁ ଅଧିକା ବର୍ଷା ଓ ପବନ ଚଳିତ ବର୍ଷ ବହୁଥର ହୋଇଥିବା ନଜିର ରହିଥିଲେ ମଧ୍ୟ ବିଦ୍ୟୁତ ବିଭ୍ରାଟ ହୋଇ ନ ଥିଲା। ବାତ୍ୟା ପାଇଁ ବିଦ୍ୟୁତ ବିଭାଗ ପୂର୍ବରୁ ସଚେତନ ହେବା ସହ ମରାମତି ରକ୍ଷଣାବେକ୍ଷଣ ପାଇଁ ବାରମ୍ବାର ବିଦ୍ୟୁତ କାଟ ଏବଂ ସାମାନ୍ୟ ଝିପି ଝିପି ବର୍ଷା ରେ ବିଦ୍ୟୁତ କାଟକୁ ନେଇ ଜନ ଅସନ୍ତୋଷ ଦେଖାଯାଇଛି।
ସିମନବାଡି ଫିଡ଼ରର ଶ୍ରାନିକେତା ପଞ୍ଚାୟତ ସମେତ କିରିକୁଟି, ତିଲୋରୀ, ବୁଡ଼ାଗୁଡା, ଗୁମିକିଆ, କୋଟଗଡ଼ ବ୍ଲକ ପକାରୀ, ବାକିଗୁଡା ବ୍ଲକ ଋତୁଙ୍ଗିଆ ସମେତ ପର୍ତ୍ତମାହା, ଦାରିଙ୍ଗବାଡି ଜ଼ଭରାମ୍ରବାଡି, ଗ୍ରୀନବାଡି, ସିଆଙ୍ଗବାଲି, ଦାସିଙ୍ଗବାଡି, ଦନେକବାଡି, ସୋନପୁର, ସିର୍କାବର୍ଗ ଆଦି ପଞ୍ଚାୟତକୁ ବିଦ୍ୟୁତ ସଂଯୋଗ ସୋମବାର ବିଳମ୍ବିତ ରାତ୍ରଠାରୁ ବନ୍ଦ ରହିଛି। ଏ ନେଇ ବିଭାଗର ସହକାରୀ ଯନ୍ତ୍ରୀ ଶିବପ୍ରସାଦ ନାୟକଙ୍କ ସହ ଯୋଗାଯୋଗ କରାଯିବାରୁ ପ୍ରବଳ ବର୍ଷା ଓ ପବନ ଯୋଗୁ ବିଦ୍ୟୁତ କାଟି ଦିଆଯାଇଥିବା କହିବା ସହ ଅନ୍ୟ କିଛି ଅଞ୍ଚଳ ବିଦ୍ୟୁତ ଅଚଳ ହୋଇଯାଇଥିବା ସେ କହିଛନ୍ତି।

 

Dharitri – Odisha’s No.1 Odia Daily