ନୂଆଦିଲ୍ଲୀ,୬ା୪: ଭୋଟ ପରିଚାଳନା କରୁଥିବା ପଦାଧିକାରୀ ଯଦି ପ୍ରାର୍ଥୀମାନଙ୍କ ଉପରେ ନିର୍ଭର କରନ୍ତି, ତେବେ ନିର୍ବାଚନ ନିରପେକ୍ଷ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ବି.ଭି. ନାଗରତ୍ନା କହିଛନ୍ତି। ସେ ପରୋକ୍ଷରେ ନିର୍ବାଚନ କମିଶନଙ୍କୁ ସତର୍କ କରାଇ ଦେଇଛନ୍ତି। ପାଟନାର ଚାଣକ୍ୟ ଆଇନ ବିଶ୍ୱବିଦ୍ୟାଳୟରେ ରାଜେନ୍ଦ୍ର ପ୍ରସାଦ ସ୍ମାରକୀ ବକ୍ତୃତା ପ୍ରଦାନ ଅବସରରେ ଜଷ୍ଟିସ୍ ନାଗରତ୍ନା ନିର୍ବାଚନ ତଦାରଖ କରୁଥିବା ସଂସ୍ଥାର ଢାଞ୍ଚାଗତ ସ୍ବାଧୀନତାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ୧୯୯୫ର ଏକ ରାୟରେ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ଅତି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ କର୍ତ୍ତୃପକ୍ଷ ଭାବେ ସ୍ବୀକୃତି ପ୍ରଦାନ କରିଥିଲେ। ଏହା ନିର୍ବାଚନରେ ସାଧୁତାକୁ ସୁନିଶ୍ଚିତ କରିବା ନେଇ ଆସ୍ଥା ସ୍ଥାପନ କରାଯାଇଥିଲା। ତେବେ ନିର୍ବାଚନ ପରଚାଳନା କରୁଥିବା ଅଧିକାରୀ ଯଦି ନିର୍ବାଚନ ଲଢ଼ୁଥିବା ଲୋକଙ୍କ ଉପରେ ନିର୍ଭରଶୀଳ ହୁଅନ୍ତି, ତେବେ ପ୍ରକ୍ରିୟାର ନିରପେକ୍ଷତା ସୁନିଶ୍ଚିତ କରାଯାଇପାରିବ ନାହିଁ। ନିର୍ବାଚନ କେବଳ ଏକ ସମୟାନ୍ତରରେ ଘଟୁଥିବା ଘଟଣା ନୁହେଁ ବରଂ ଏକ ବ୍ୟବସ୍ଥା, ଯାହା ମାଧ୍ୟମରେ ସରକାର ଗଠନ ହୋଇଥାଏ। ନିର୍ଦ୍ଧାରିତ ବ୍ୟବଧାନରେ ନିର୍ବାଚନ ହେବା ଦ୍ୱାରା ସାମ୍ବିଧାନିକ ଗଣତନ୍ତ୍ରରରେ ସରକାରର ସୁଗମ ପରିବର୍ତ୍ତନ ହୋଇଥାଏ। ସେହି ନିର୍ବାଚନ ପ୍ରକ୍ରିୟା ଉପରେ ଯିଏ ନିୟନ୍ତ୍ରଣ ରଖେ ସେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ସର୍ତ୍ତାବଳୀକୁ ମଧ୍ୟ ନିୟନ୍ତ୍ରଣ କରିପାରେ ବା ନିର୍ବାଚନ ଫଳାଫଳକୁ ନିଜ ସପକ୍ଷରେ ନେଇପାରେ ବୋଲି ଜଷ୍ଟିସ୍ ନାଗରତ୍ନା କହିଛନ୍ତି।