ଏକମାତ୍ର ପୁଅ ଚାଲିଯିବା ପରେ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନାହିଁ, ଆବେଦନ କରି ବି ମିଳୁନି ଆବାସ…

ମୋହନା,୧ା୧୧(ମନ୍ମଥ ମିଶ୍ର)- ପରିଣତ ବୟସରେ ସାହା ହେବାକୁ କେହି ନାହିଁ। ଘରଟିଏ ନ ଥିବାରୁ ଆଶ୍ରୟ ନେଇଛନ୍ତି ଗାଁ କୋଠଘରେ। ଆବେଦନ କରି ମଧ୍ୟ ଏଯାଏ ମିଳିନି ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ। ଏପରି ଅବହେଳାର ଶିକାର ହୋଇଥିବା ଦମ୍ପତ୍ତି ହେଲେ ଗଜପତି ଜିଲା ମୋହନା ବ୍ଲକ ଜିରାଙ୍ଗ ପଞ୍ଚାୟତ ଅନ୍ତର୍ଗତ ବୁରୁପଦା ଗାଁର କରୁଣା (୭୫) ଓ ଚନ୍ଦ୍ରମା (୭୦)। ବହୁ ଓଷାବ୍ରତ କରି ପାଇଥିବା ପୁଅଟି ଅକାଳରେ ଚାଲିଗଲା। ଅସହାୟ ଅବସ୍ଥାରେ ଦିନ କାଟୁଥିବା ଏହି ବୃଦ୍ଧ ଦମ୍ପତିଙ୍କୁ ଏବେ ଦି’ ଓଳି ଦି’ମୁଠା ଖାଇବାକୁ ଦେବାକୁ ନିଜର ବୋଲି କେହିନାହିଁ। ଭତ୍ତା ଟଙ୍କାତକ ଉଭୟଙ୍କ ଭରସା। କରୁଣା ରହିବା ପାଇଁ ତିଆରି କରିଥିବା କୁଡ଼ିଆ ଘରଟି ଗତ ତିତିଲି ବାତ୍ୟାରେ ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିଲା। ସେବେଠାରୁ ଏପର୍ଯ୍ୟନ୍ତ ଏହି ଭଙ୍ଗା ଦଦରା ଘରେ ବୃଦ୍ଧ ଦମ୍ପତି ରହି ଆସୁଛନ୍ତି l ଘର ଖଣ୍ଡେ ପାଇଁ ଗ୍ରାମର କେତେ ଜଣ ଗ୍ରାମବାସୀ ପଞ୍ଚାୟତ, ବ୍ଲକ ଏବଂ ଜିଲାପାଳଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣିନାହାନ୍ତି। ଏଯାଏ କରୁଣାଙ୍କୁ ଆବାସ ଯୋଜନାରେ ଘରଟିଏ ମିଳିନାହିଁ। କେବେ କରୁଣାଙ୍କ ପ୍ରତି ପ୍ରଶାସନର କରୁଣା ହେବ ବୋଲି ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ପିଇଓ ଦିଲେଶର ଦଳାଇଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଲେ, କରୁଣାଙ୍କୁ ଅନ୍ତୋଦୋୟ ଆବାସ ଯୋଜନାରେ ସାମିଲ କରାଯାଇଛି। ଖୁବ୍‌ ଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇ ତାଙ୍କ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।

Dharitri – Odisha’s No.1 Odia Daily

Share