ଝିଆରୀଙ୍କୁ ବଞ୍ଚାଇବାକୁ ଯାଇ ବଡବାପାଙ୍କ ଜୀବନ ଗଲା: କକା ଗୁରୁତର

ପାଟଣା,୨୫।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳିପଶି ଗ୍ରାମର ତଣ୍ଡିଆ ସାହିରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଝିଆରୀ ଲୁଗା ଶୁଖାଉଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିବାବେଳେ ତାଙ୍କୁ ବଞ୍ଚାଇବାକୁ ଯାଇ ବଡବାପାଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଦୁର୍ଯ୍ୟୋଧନ ବେହେରା । ଝିଆରୀ ଅଞ୍ଜଳି ବେହେରା ଓ ତାଙ୍କ କକା ଦୁଃଶାସନ ବେହେରା ଗୁରୁତର ଅଛନ୍ତି।
ସୂଚନାଯୋଗ୍ୟ ଯେ, ସୋମବାର ସକାଳୁ ଅଞ୍ଜଳି ଘର ବାହାରେ ଥିବା ତାରରେ ଲୁଗା ଶୁଖାଉ ଥିବା ସମୟରେ ଜିଆଇ ତାରଟି କୌଣସି କାରଣରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲା। ଏହା ଦେଖି ବଡବାପା ଓ କକା ଅଞ୍ଜଳିଙ୍କୁ ବଞ୍ଚାଇବାକୁ ଯାଇଥିବା ସମୟରେ ବଡବାପାଙ୍କ ମୃତ୍ୟୁ ହୋଇଥିଲା। ଝିଆରୀ ଓ କକା ଗୁରୁତର ହୋଇ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ ହୋଇଛନ୍ତି।