ରକ୍ତ ସମ୍ପର୍କ ଭୁଲିଗଲେ… ଗାଁ ଦାଣ୍ଡରେ ସାନ ଭାଇକୁ ବାନ୍ଧି ପିଟି ପିଟି ମାରିଦେଲେ ବଡ଼ ଭାଇ

ଭଞ୍ଜନଗର,୨୭।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ବ୍ରାହ୍ମଣପଦର ଗ୍ରାମରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ବଡ଼ ଭାଇର ଆକ୍ରମଣରେ ସାନ ଭାଇ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବଳରାମ ଗୌଡ (୩୫)। ତାରସିଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।

ଘଟଣାରୁ ପ୍ରକାଶ ଯେ, ବଳରାମ ଭଞ୍ଜନଗରରେ ସ୍ତ୍ରୀ ଏବଂ ଛୁଆଙ୍କୁ ନେଇ ରହୁଥିଲେ। ଭଞ୍ଜନଗରରେ ସେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲେ। ଶନିବାର ରାତିରେ ବଳରାମ କୌଣସି କାମରେ ଗ୍ରାମକୁ ଆସିଥିଲେ। ମା’ ବାପା ରହୁଥିବା ଘରେ କିଛି ସମୟ ରହିବା ପରେ ପରିସ୍ରା କରିବାକୁ ଯାଉଛି କହି ବାହାରକୁ ଆସିଥିଲେ। ଏହାପରେ ବଡ ଭାଇଙ୍କ ପାଖକୁ ଯାଇଥିବା ବେଳେ ତାଙ୍କସହ କୌଣସି କାରଣରୁ ଘର ସମ୍ମୁଖରେ ବଚସା ହୋଇଥିଲା। ଏହାପରେ ବଡ ଭାଇ ଏବଂ ଅନ୍ୟମାନେ ତାକୁ ଗାଁ ଦାଣ୍ଡର ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ତାଙ୍କ ମା’ ଜାଣିବା ପରେ ସାନପୁଅକୁ ଉଦ୍ଧାର କରିବାକୁ ଯାଇଥିଲେ। କିନ୍ତୁ ସେତେବେଳକୁ ପୁଅଙ୍କ ମୃତ୍ୟୁ ଘଟିଥିଲା। ଏନେଇ ରବିବାର ସକାଳେ ବଳରାମଙ୍କ ସ୍ତ୍ରୀ ସୁମିତ୍ରା ମଲ୍ଲିକ ଜାଣିବା ପରେ ଗ୍ରାମରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ। ଏହାପରେ ପୋଲିସ ପହଞ୍ଚି ବଡ଼ ଭାଇ ଏବଂ ଅନ୍ୟ ଜଣକୁ ଥାନାକୁ ନେଇ ପଚରା ଉଚରା ଚଳାଇଛି। ଏଥିସହ ଘଟଣାର ଅଧିକ ତଦନ୍ତ ଚଳାଇଛି।