ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ: କଳାହାଣ୍ଡିର ଲଗାଯିବ ୨ହଜାର ଗ୍ରାମରେ ୬ଲକ୍ଷ ଗଛ

ଭବାନୀପାଟଣା,୧୬ା୯(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲାରେ ବୁଧବାର ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ‘ଏକ୍‌ ପେଡ୍‌ ମା’କେ ନାମ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଜିଲାର ୨ହଜାର ଗ୍ରାମରେ ୩ ଶହ ଲେଖାଏଁ ହିସାବରେ ୬ ଲକ୍ଷ ବୃକ୍ଷ ରୋପଣ କରାଯିବ। ଏ ନେଇ ମଙ୍ଗଳବାର ଭବାନୀପାଟଣାଠାରେ ଏକ ଖବରଦାତା ସମ୍ମିଳନୀରେ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ ସୂଚନା ଦେଇଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଭବାନୀପାଟଣା ବ୍ଲକ କୁଳିଆମାଲ ପଞ୍ଚାୟତରେ ଏହାର ଶୁଭାରମ୍ଭ କରାଯିବ। କାର୍ଯ୍ୟକ୍ରମରେ ଲୋକ ସଭା ସାଂସଦ, ରାଜ୍ୟ ସଭା ସଦସ୍ୟ, ବିଧାୟକ ତଥା ଜିଲାସ୍ତରୀୟ ବିଭିନ୍ନ ଅଧିକାରୀ ସାମିଲ ହେବେ। ଜିଲାର ସମସ୍ତ ପଞ୍ଚାୟତରେ ଏ ନେଇ ସଚେତନତା ରଥ ବୁଲିବ। ଗ୍ରାମାଞ୍ଚଳରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସମେତ ଶିକ୍ଷକ, ଅଙ୍ଗନୱାଡି, ଆଶା କର୍ମୀ, ଇକୋ କ୍ଲବ ସଦସ୍ୟ ସାମିଲ ହେବେ। ସେହିପରି ବୃକ୍ଷ ରୋପଣ ପରେ ଗଛଗୁଡିକର କେମିତି ଯତ୍ନ ନିଆଯାଉଛି ପ୍ରତି ୩ ମାସରେ ଥରେ ଯାଞ୍ଚ କରାଯିବ ବୋଲି ଜିଲାପାଳ ପ୍ରକାଶ କହିଥିଲେ।

Share
Tags: odisha