Shreyas Iyer captain of Delhi Capitals and Rohit Sharma captain of Mumbai Indians at the toss during the final of season 13 of the Dream 11 Indian Premier League (IPL) between the Mumbai Indians and the Delhi Capitals held at the Dubai International Cricket Stadium, Dubai in the United Arab Emirates on the 10th November 2020. Photo by: Ron Gaunt / Sportzpics for BCCI
ଦୁବାଇ, ୧୨।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୩ତମ ସଂସ୍କରଣ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ସଫଳତାର ସହ ସମ୍ପନ୍ନ ହୋଇଛି। ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ୫ମ ଥରପାଇଁ ଚାମ୍ପିୟନ ହୋଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଗାମୀ ବର୍ଷ ଏହାକୁ ଆହୁରି ଭଲଭାବେ ଭାରତରେ ଆୟୋଜନ କରିବାକୁ ଚିନ୍ତା କରୁଛି। ଏଥିପାଇଁ ମେଗା ନିଲାମ ପ୍ରକ୍ରିୟା ହେବା ସହ ୨୦୨୧ ଆଇପିଏଲକୁ ୯ ଦଳବିଶିଷ୍ଟ କରାଯିବାକୁ ଯୋଜନା ରହିଛି। ଆସନ୍ତା ୨-୩ ସପ୍ତାହ ମଧ୍ୟରେ ଆଇପିଏଲ ଗଭର୍ନିଂ କାଉନସିଲ୍ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ବିସିସିଆଇର ଜଣେ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଆଇପିଏଲର ୧୪ତମ ସଂସ୍କରଣକୁ ଦୃଷ୍ଟିରେ ରଖି ଆସନ୍ତାବର୍ଷ ପ୍ରାରମ୍ଭରେ ହେବାକୁଥିବା ମେଗା ନିଲାମ ପ୍ରକ୍ରିୟା ପାଇଁ ପ୍ରସ୍ତୁତ ରହିବାକୁ ଫ୍ରାଞ୍ଚାଇଜ୍ଗୁଡ଼ିକୁ ବିସିସିଆଇ ଜଣାଇ ଦେଇଥିବା ବିଭିନ୍ନ ରିପୋର୍ଟରୁ ଜଣାପଡ଼ିଛି। ”ଆନୁଷ୍ଠାନିକଭାବେ ପ୍ରକାଶ କରାଯାଇ ନ ଥିଲେ ହେଁ ଆଉ କିଛିମାସ ପରେ ହେବାକୁଥିବା ନିଲାମ ପ୍ରକ୍ରିୟା ପାଇଁ ପ୍ରସ୍ତୁତ ରହିବାକୁ ବିସିସିଆଇ ଆମକୁ ଜଣାଇ ଦେଇଛି। ଫଳରେ ବିସିସିଆଇ ଏଥିପାଇଁ ଯୋଜନା କରିଥିବା ସ୍ପଷ୍ଟ ହୋଇଛି। ଆଉ ଏକ ନୂଆ ଦଳ ଆସିବାକୁ ଥିବାରୁ ମେଗା ନିଲାମ ପ୍ରକ୍ରିୟା ହେବା ସ୍ବାଭାବିକ ବୋଲି ଜଣେ ଫ୍ରାଞ୍ଚାଇଜ୍ ମାଲିକ ଏକ ସାକ୍ଷାତକାର ଅବସରରେ ପ୍ରକାଶ କରିଛନ୍ତି।
ଆସନ୍ତା ଆଇପିଏଲ୍ରେ ୯ମ ଫ୍ରାଞ୍ଚାଇଜ୍ ଆକର୍ଷଣରେ ରହିବ। ଏହି ଫ୍ରାଞ୍ଚାଇଜ୍ ଅହମ୍ମଦାବାଦ ଭିତ୍ତିକ ହେବ ଏବଂ ଏହାର ଘରୋଇ ପଡ଼ିଆ ସର୍ଦ୍ଦାର ପଟେଲ ଷ୍ଟାଡିୟମ (ମେଟେରା) ହେବା ସମ୍ଭାବନା ରହିଛି। ମେଗା ନିଲାମ ପ୍ରକ୍ରିୟାରେ ଏକ ଫ୍ରାଞ୍ଚାଇଜ୍ ଅତି ବେଶିରେ ୩ ଜଣ ଖେଳାଳିଙ୍କୁ ଅପରିବର୍ତ୍ତିତ ରଖିପାରିବେ। ରାଇଟ୍ ଟୁ ମ୍ୟାଚ(ଆରଟିଏମ୍) କାର୍ଡ ପ୍ରୟୋଗ କରି ଆଉ ୨ ଜଣ ଖେଳାଳିଙ୍କୁ ସେମାନେ ନେଇ ପାରିବେ। ଆଗାମୀ ନିଲାମ ପ୍ରକ୍ରିୟାରେ ଏହି ନିୟମ ବଳବତ୍ତର ରହିବ କିମ୍ବା ନୂଆ ନିୟମରେ କରାଯିବ ତାହା ସ୍ପଷ୍ଟ ହୋଇନାହିଁ। ”ବର୍ତ୍ତମାନ ସ୍ଥିତିରେ ନୂଆ ଫ୍ରାଞ୍ଚାଇଜ୍ ଆସିଲେ ଖେଳାଳି ଅପରିବର୍ତ୍ତିତ ରଖିବା ନୀତି ଲାଗୁ ହେବା ଉଚିତ। ସବୁ ଖେଳାଳିଙ୍କୁ ନିଲାମ ପାଇଁ ଛାଡ଼ିଦେବା ବୁଦ୍ଧିମାନର କାର୍ଯ୍ୟ ହେବନାହିଁ। ତାରକା ଖେଳାଳିଙ୍କ ବ୍ରାଣ୍ଡ ଭାଲ୍ୟୁ ସହିତ ଦଳଗୁଡ଼ିକୁ ସାଲିସ କରିବାକୁ ପଡ଼ିବ“ ବୋଲି ଆଉ ଜଣେ ଫ୍ରାଞ୍ଚାଇଜ୍ ଅଫିସିଆଲ କହିଛନ୍ତି।
ପ୍ରକାଶ ଯୋଗ୍ୟ ଯେ, ମେଗା ନିଲାମ ପ୍ରକ୍ରିୟା ହେଲେ ଚେନ୍ନାଇ ସୁପରକିଙ୍ଗ୍ସ ପରି ଦଳକୁ ଆଶ୍ୱସ୍ତି ମିଳିବ। ଆଇପିଏଲ-୨୦୨୦ରେ ବିପର୍ଯ୍ୟୟ ପରେ ଦଳ ପୁନର୍ଗଠିତ ହେବା ସମ୍ପର୍କରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସୂଚନା ଦେଇଥିଲେ। ଏ କ୍ଷେତ୍ରରେ ବିସିସିଆଇ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିବା ସେ ପ୍ରକାଶ କରିଥିଲେ। କେବଳ ଚେନ୍ନାଇ ନୁହେଁ , ରାଜସ୍ଥାନ ରୟାଲ୍ସ, କିଙ୍ଗ୍ସ ଇଲେଭେନ ପଞ୍ଜାବ, ସନ୍ରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ ଆସନ୍ତା ସିଜନ ପାଇଁ ବିସିସିଆଇର ମେଗା ନିଲାମ ପ୍ରକ୍ରିୟାକୁ ସ୍ବାଗତ କରିବେ ବୋଲି କହିଛନ୍ତି। ମେଗା ନିଲାମ ପ୍ରକ୍ରିୟା ହେଲେ ବିସିସିଆଇକୁ ଶୀଘ୍ର ନିଷ୍ପତ୍ତି ନେବାକୁ ପଡ଼ିବ। କାରଣ ଏହାକୁ ଜାନୁୟାରୀ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ମଧ୍ୟରେ ସାରିବାକୁ ହେବ।