Categories: ଅନୁଗୋଳ

୩ ମାସରେ ୪ ହାତୀଙ୍କ ମୃତ୍ୟୁ

ପାଲଲହଡ଼ା,୨୬ା୧୨(ଡି.ଏନ.ଏ.) ଅନୁଗୋଳ ଜିଲାରେ ହାତୀ ମୃତ୍ୟୁ ଘଟଣା ବଢ଼ିବାରେ ଲାଗିଛି। କେତେବେଳେ ବିଦ୍ୟୁତ୍‌ ଆଘାତରେ ଗଜରାଜଙ୍କ ଜୀବନ ଯାଉଛି ତ ଆଉ କେବେ ଆବଶ୍ୟକ ଚିକିତ୍ସା ଅଭାବରୁ ଆହତ ହାତୀ ମୃତ୍ୟୁମୁଖରେ ପଡ଼ୁଛି। ଦେବଗଡ଼ ବନଖଣ୍ଡ ଅଧୀନ ପାଲଲହଡ଼ା ଉପଖଣ୍ଡରେ ଥିବା ପାଲଲହଡା ଏବଂ ଖମାର ବନାଞ୍ଚଳରେ ଗତ ୩ ମାସ ମଧ୍ୟରେ ୪ଟି ହାତୀ ଏପରି ଭାବେ ଜୀବନ ହରାଇଥିବା ସୂଚନା ମିଳିଛି। ବନ ବିଭାଗ ସୁରକ୍ଷା ଦେଇପାରୁ ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ଅଭିଯୋଗ ହେଉଛି।
ଗତ ସେପ୍ଟେମ୍ବର ୧୧ରେ ଖମାର ବନାଞ୍ଚଳ ରଜଡଙ୍ଗ ପଞ୍ଚାୟତ ବଦଗୁଣ୍ଡ ଜଙ୍ଗଲରେ ଶିକାରୀଙ୍କ ବିଦ୍ୟୁତ୍‌ ଫାଶରେ ପଡି ଏକ ଦନ୍ତା ହାତୀ ପ୍ରାଣ ହରାଇଥିଲା। ନଭେମ୍ବର ୨୩ରେ ପାଲଲହଡା ବନାଞ୍ଚଳ ଜୋକପାଣି ଗ୍ରାମ କୋଲ୍ହସାହି ନିକଟ ଜଙ୍ଗଲରୁ ଏକ ଦନ୍ତା ହାତୀ ମୃତଦେହ ଜବତ କରାଯାଇଥିଲା। ସେହିପରି ଗତ ୧୫ ତାରିଖରେ ଖମାର ବନାଞ୍ଚଳ ଖେମଳା ପଞ୍ଚାୟତ ରାମହୁଳି ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଛୁଆ ହାତୀର ମୃତ୍ୟୁ ହୋଇଥିଲା। ଶନିବାର ମରିଥିବା ଆଉ ଏକ ହାତୀକୁ ନେଇ ୩ ମାସ ମଧ୍ୟରେ ୪ଟି ହାତୀର ମୃତ୍ୟୁ ହୋଇସାରିଛି। ହାତୀଙ୍କୁ ସୁରକ୍ଷା ଦେବା ସହ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଏହି ଦୁଇ ବନାଞ୍ଚଳରେ ୨ଟି ସ୍ବତନ୍ତ୍ର ଗାଡି ଓ ୫ ଜଣ ଲେଖାଏ କର୍ମଚାରୀ ନିଯୁକ୍ତି ପାଇଛନ୍ତି। କିନ୍ତୁ ହାତୀକୁ ସୁରକ୍ଷା ମିଳିପାରୁ ନାହିଁ। ଏ ସମ୍ପର୍କରେ ଦେବଗଡ଼ ଡିଏଫଓ ମଗନ ଧନଜି ରାଓସୋଙ୍କ ସହ ଯୋଗାଯୋଗ ହୋଇ ନ ପାରିବାରୁ ମତାମତ ମିଳିପାରି ନାହିଁ।