ରାୟଗଡ଼ା,୧୩।୫(ଆଶିଷ ରଞ୍ଜନ ପଣ୍ଡା):ପୁଷ୍ଟିହୀନତା ଦୂର ଏବଂ ମାତୃ ଶିଶୁ ମୃତ୍ୟୁ ହାର ହ୍ରାସ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ର ଜରିଆରେ ଗର୍ଭବତୀ ଏବଂ ଶିଶୁଙ୍କୁ ପୋଷଣଯୁକ୍ତ ଖାଦ୍ୟ ଯୋଗାଇ ଦିଆଯାଉଛି। ହେଲେ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ଗରିବ ଗର୍ଭବତୀ ଓ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣରେ ଆଧାର କାର୍ଡ ସଂଲଗ୍ନ ମୋବାଇଲ ନମ୍ବର କଣ୍ଟା ସାଜିଛି। କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ନିୟମଗିରି ପାହାଡ଼ର ପାରସାଲି ପଞ୍ଚାୟତରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧ ସମ୍ପ୍ରଦାୟ ମହିଳାଙ୍କ ନିକଟରେ ମୋବାଇଲ ନ ଥିବାରୁ ସେମାନେ ପୋଷଣ ଖାଦ୍ୟ ପାଇବାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହୋଇଛି। ଅଙ୍ଗନଓ୍ବାଡି କେନ୍ଦ୍ରରୁ ଅଣ୍ଡା ଓ ଛତୁଆ ପାଇବାକୁ ହେଲେ ଆଧାର କାର୍ଡ ଓ ମୋବାଇଲ ନମ୍ବର ବାଧ୍ୟତାମୂଳକ ହୋଇଛି। କିନ୍ତୁ ଏଠାକାର ଅଧିକାଂଶ ମହିଳାଙ୍କ ନିକଟରେ ମୋବାଇଲ ନ ଥିବାରୁ ସେମାନେ ଏହି ଯୋଜନାର ଲାଭ ପାଇପାରୁ ନ ଥିବା କହିଛନ୍ତି। ଆମ ପାଖରେ ତ ଖାଇବାକୁ ଟଙ୍କା ନାହିଁ, ମୋବାଇଲ କିଣିବାକୁ ଟଙ୍କା କେଉଁଠୁ ଆଣିବୁ ବୋଲି ଜଣେ ଡଙ୍ଗରିଆ କନ୍ଧ ମହିଳା ମେଣ୍ଡ୍ରାଣି ଜାକାକା କହିଛନ୍ତି।