ଭଞ୍ଜନଗର,୧୫।୮(ବାବୁଲା ପ୍ରଧାନ):ଆଗାମୀ ଦିନରେ କିଛି ବ୍ଲକ, ପଂଚାୟତ, ଗ୍ରାମ, ଜିଲା ସୀମା ପରିବର୍ତ୍ତନ ହେବ। ତେଣୁ ବ୍ଲକ, ପଂଚାୟତ, ଗ୍ରାମ,ଜିଲା ସଂଖ୍ୟା ବଢିବ। ଜିଲା ସଂଖ୍ୟା ବଢ଼ିଲେ ଘୁମୁସର ଜିଲା ଘୋଷଣା ହେବା ସମ୍ଭାବନା ରହିଛି। ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଜିଲା ସଂଖ୍ୟା ବୃଦ୍ଧି ପାଇଥିଲା। କିନ୍ତୁ ଘୁମୁସର ଜିଲା ଘୋଷଣା ହୋଇପାରି ନ ଥିଲା। ଯାହାକୁ ନେଇ ଅଞ୍ଚଳବାସୀ ସେ ସମୟରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଅସନ୍ତୋଷ ଦିନକୁ ଦିନ ସରକାର ବିରୋଧରେ ବଢୁଛି। ସରକାର ପରେ ସରକାର ବଦଳୁଛି। କିନ୍ତୁ କୌଣସି ସରକାର ଘୁମୁସର ଅଞ୍ଚଳବାସୀଙ୍କ ଦାବିକୁ ଗୁରୁତ୍ୱ ଦେଉନାହାନ୍ତି। ତେଣୁ ଆଗାମୀ ଦିନରେ ଯଦି ଜିଲା ସଂଖ୍ୟା ବୃଦ୍ଧି ପାଇବ ଘୁମୁସର ଜିଲା ଘୋଷଣା ଯେଭଳି ବଞ୍ଚିତ ନହେବ ସେଥିପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ବିଭିନ୍ନ ସମୟରେ ଆନ୍ଦୋଳନ ହେଉଛି।
ଏହିଭଳି ଘୁମୁସର ବାହିନୀ ମଧ୍ୟ ଚିଠି ଲେଖା ସମେତ ବିଭିନ୍ନ ଆନ୍ଦୋଳନ କାର୍ଯ୍ୟକ୍ରମ କରୁଛି। ଏଥିସହ ଭଞ୍ଜନଗର ବାର ଆସୋସିଏସନ, ବରିଷ୍ଠ ନାଗରିକ ମଞ୍ଚ, ଘୁମୁସର ମିଡ଼ିଆ କ୍ଲବ ସମେତ ବିଭିନ୍ନ ସଙ୍ଗଠନ ଆନ୍ଦୋଳନ ଅନେକ ସମୟରେ କରୁଛି। ଶୁକ୍ରବାର ସ୍ବାଧୀନତା ଦିବସ ଅବସରରେ ଭଞ୍ଜନଗର ଜେଲ ପଡିଆ ସମ୍ମୁଖରେ ଘୁମୁସରବାହିନୀ ପକ୍ଷରୁ ଚିଠି ଲେଖା ଅଭିଯାନ ଅୟୋଜନ ହୋଇଥିଲା। ଛାତ୍ରୀ, ଛାତ୍ରଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ପ୍ରମୁଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଘୁମୁସର ଜିଲା ପାଇଁ ଆଜି ଚିଠି ଲେଖି ଦାବି ଜଣାଇଥିଲେ। ଘୁମୁସର ବାହିନୀ କର୍ମକର୍ତ୍ତାଙ୍କ ଏହିଭଳି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ସ୍ବାଗତ କରିଛନ୍ତି।