ପାରାଦୀପ,୨୯ା୧୨(ଶରତ ରାଉତ):ପାରାଦୀପର ଅଧିକାଂଶ ଅଞ୍ଚଳରେ ରବିବାର ସାରେ ରାସାୟନିକ ଗ୍ୟାସ ଦୁର୍ଗନ୍ଧ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଅଣନିଃଶ୍ୱାସୀ ହେବା ସହ ମୁହଁରେ ମାସ୍କ କିମ୍ବା କପଡ଼ା ବାନ୍ଧି ବୁଲୁଛନ୍ତି। ଏପରିକି ରବିବାର କେତେଜଣ ଦୁର୍ଗନ୍ଧ ଯୋଗୁ ବାନ୍ତି କରି ଅଠରବାଙ୍କି ବିଜୁ ମେମୋରିଆଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଗ୍ୟାସ୍ର ପ୍ରଭାବ ବାଲିଝରା, ବାଉରିଆପାଳନ୍ଦା, ରଙ୍ଗିଆଗଡ଼, ନିମିଢ଼ି, ରାମଚଣ୍ଡୀପଡ଼ା, ପାରାଦୀପଗଡ଼, ଅଠରବାଙ୍କି, ଲକପଡା ଆଦି ଅଞ୍ଚଳରେ ଅଧିକ ମାତ୍ରାରେ ହେଉଛି। ଏହାର ପ୍ରଭାବରେ ଗଛଗୁଡ଼ିକ ମଧ୍ୟ ପୋଡ଼ିଯାଉଛି। ଏହି ଦୁର୍ଗନ୍ଧ ପିପିଏଲ୍ ସାର କାରଖାନାରୁ ନିର୍ଗତ ହେଉଥିବା ଅଭିଯୋଗ ହେଉଛି।
ଏ ସମ୍ପର୍କରେ ବାଉରିଆପାଳନ୍ଦା ବସ୍ତିର ଜ୍ୟୋତିକାନ୍ତ ମଲ୍ଲିକ କୁହନ୍ତି, ରାତି ୮ଟା ପରଠାରୁ ରାସାୟନିକ ଗ୍ୟାସ ଦୁର୍ଗନ୍ଧ ହେଉଛି। ଏଥିଯୋଗୁ ଆଖି ପୋଡ଼ିବା ସହ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଛି। ଏବେ ଶୀତ କାକର ଯୋଗୁ ଗ୍ୟାସ ଗନ୍ଧ ଅଧିକ ସମୟ ରହୁଛି। ଏପରି ଦୁର୍ଗନ୍ଧ ଗତ ସପ୍ତାହ ହେବ ହେଉଛି ବୋଲି ଲକ୍ପଡା ବାସିନ୍ଦା ଦେବ ମଣ୍ଡଳ କୁହନ୍ତି। ଶୀତ ଯୋଗୁ ପବନର ଗତି ଏବେ ଶିଥିଳ ଅବସ୍ଥାରେ ଅଛି। ଏହି ସମୟରେ ରାସାୟନିକ କାରଖାନାରୁ ବାହାରୁଥିବା ଗ୍ୟାସ ଅଧିକ ଯନ୍ତ୍ରଣା ଦେଉଛି ବୋଲି ଦେବ କୁହନ୍ତି। ଏପରିକି ସେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ରାଜନଗର ବନଖଣ୍ଡ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ପିପିଏଲ୍ କର୍ପୋରେଟ ଆଫେୟାର୍ସ ମୁଖ୍ୟ ବିଭୁଦତ୍ତ ପାଣିଗ୍ରାହୀ କୁହନ୍ତି, ଏବେ ଅଭିଯୋଗ ଶୁଣିବାକୁ ପାଇଛୁ। କମ୍ପାନୀ ମ୍ୟାନେଜ୍ମେଣ୍ଟ ସହ ଆଲୋଚନା କରି ଏହାର ନିରାକରଣ ବ୍ୟବସ୍ଥା ଯଥାଶୀଘ୍ର କରିବାକୁ ଚେଷ୍ଟା କରୁଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ପୁଷ୍କରଚନ୍ଦ୍ର ବେହେରାଙ୍କୁ ପଚାରିଲେ କୁହନ୍ତି, ସେ ଏବେ (ରାତି ୧୦ଟା ୩୦) ଘଟଣାସ୍ଥଳରେ ପହଞ୍ଚତ୍ ଯାଞ୍ଚ କରିଛନ୍ତି। ଏଥିସହ ମେଡିକାଲରେ ଥିବା ଲୋକଙ୍କ ସହ ଆଲୋଚନା କରିଛନ୍ତି।