ଗାଁର ଗୌରବ ଓସିଏସ୍‌ ପରୀକ୍ଷାରେ ସଫଳତା ପାଇଥିବା ୨ଜଣଙ୍କୁ  ଭେଟିଲେ ସ୍ବୟଂ ସେବକ ସଙ୍ଘ       

ନିରାକାରପୁର,୩୦।୯(ମାନସ ଚନ୍ଦ୍ର ପଟ୍ଟନାୟକ):ଓଡ଼ିଶା ସିଭିଲ ସର୍ଭିସ (ଓସିଏସ)ପରୀକ୍ଷାରେ ଖୋର୍ଦ୍ଧାଜିଲା ଟାଙ୍ଗିବ୍ଲକ ନୂଆଗଡ଼ ପଞ୍ଚାୟତ ଅଧୀନ ମେହେରାମ୍‌ପୁର ଗ୍ରାମର ଝିଅ  ସୁଶ୍ରୀ ନଗମା ସାହିନ ୧୯୩ ରାଙ୍କରେ ରହି ସଫଳତା ହାସଲ କରିଛନ୍ତି। ସେ ୨୦୧୮ରୁ ଭୁବନେଶ୍ୱରସ୍ଥିତ ବେସିକ ସାଇନ୍ସ କଲେଜରୁ ପାସ କରିଥିଲେ। ପରେ ୨୦୨୦ରୁ ୨୦୨୧ରେ ବେଙ୍ଗାଲୁରରେ ମାଇକ୍ରୋ ବାୟୋଲୋଜିରେ ପିଜି ଶେଷ ପରେ ଓପିଏସସି ପରୀକ୍ଷା ନିମନ୍ତେ ନିଜକୁ ପ୍ରସ୍ତୁତ କରିଥିଲେ।  ସେ ୩ଥର ଅଳ୍ପ କିଛି ମାର୍କ ପାଇଁ ଅସଫଳ ହୋଇଥିଲେ। ତଥାପି  ହାର ମାନି ନଥିଲେ। ତାଙ୍କର ଜିଦ୍‌ ସତେ ଯେପରି ତାଙ୍କୁ  ସଫଳତା ଆଣି ଦେଇଥିଲା।
ନଗମାଙ୍କ ମା’  ମୁସ୍ତାରୀ ଖାନମ ଜଣେ ସୁଗୃହିଣୀ ହୋଇଥିବା ବେଳେ ବାପା ଫକୀର ଖାଁ ଜଣେ ଅବସରପ୍ରାପ୍ତ ପ୍ରିନ୍ସପାଲ ଅଟନ୍ତି। ଏହି ଅବସରରେ ସ୍ଥାନୀୟ ନୂଆଗଡ ସ୍ବୟଂ ସେବକ ସଙ୍ଘ, ହରିପୁର ପକ୍ଷରୁ ନଗମାଙ୍କୁ ତାଙ୍କର ସଫଳତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ସନ୍ତୋଷ କୁମାର ରାୟ, ମନୋରଞ୍ଜନ ମୁଦୁଲି, ସମୀର ଜେନା, ଶଶୀଭୂଷଣ ପାଟଶାଣି,ବିଶ୍ବଜିତ ପାଲଟାସିଂହ, ପଠାଣି ଶ୍ରୀଚନ୍ଦନ, ଦିବ୍ୟ ଲୋଚନ ଜେନା, ମିଥୁନ ବେହେରା ଅଜୟ ଛୋଟରାୟ, ରସିଦ ଖାଁ, ଦୁଷ୍ମନ୍ତ ହରିଚନ୍ଦନ, ପ୍ରଦୋଷ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ରହି ପ୍ରଶସ୍ତିକା ଓ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଅନୁରୂପଭାବେ ଡିଆ ପଞ୍ଚାୟତ ଅଧୀନ ଡିଆ-ବ୍ରାହ୍ମଣ ସାହିର ବିଶ୍ୱରଞ୍ଜନ ତ୍ରିପାଠୀ ମଧ୍ୟ ଏହି ପରୀକ୍ଷାରେ ୨୪୯ ନମ୍ବର ର଼୍ୟାଙ୍କରେ ରହିଛନ୍ତି। ଏହା ପୂର୍ବରୁ ସେ ନୌସେନାରେ ଚାକିରି କରିଥିଲେ। ଏବେ ସେ ଚାକିରିରୁ ଅବସର ନେବା ପରେ ପରୀକ୍ଷା ଦେଇଥିଲେ। ପ୍ରଥମ ପରୀକ୍ଷା ଦେଇ ସେ ସଫଳ ହୋଇ ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଆଣି ଦେଇଛନ୍ତି। ତାଙ୍କ ବାପା  ଦୟାନିଧି ତ୍ରିପାଠୀ ଜଣେ ସାଧାରଣ ବ୍ୟକ୍ତି ହୋଇଥିବା ବେଳେ ମା’ ଜଣେ ସୁଗୃହିଣୀ ଅଟନ୍ତି।