ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ପ୍ରତିଶ୍ରୁତି ପରେ ଖୋଲିଲା ତାଲା

ନୂଆପଡ଼ା,୯ା୧ ( ମକାରୁ ବେମାଲ):ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ. ୨ ଗଡତୋର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ନେଇ ଗୁରୁବାର ଗ୍ରାମବାସୀ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ଖବର ପାଇ ନୂଆପଡା ବ୍ଲକ ଶିକ୍ଷା ଅଧିକାରୀ ଚୈତରାମ ନାଏକ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରି ପ୍ରତିଶ୍ରୁତି ଦେଲାପରେ ତାଲା ଖୋଲିଥିଲା। ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ୧୮୩ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଶିକ୍ଷାଦାନ ପାଇଁ ୫ ଜଣ ଶିକ୍ଷୟିତ୍ରୀ ନିଯୁକ୍ତ ଅଛନ୍ତି। ପ୍ରତିଦିନ ଶିକ୍ଷୟିତ୍ରୀ ମାନେ ସାଢ଼େ ଦଶରୁ ୧୧ ଟା ଭିତରେ ବିଦ୍ୟାଳୟ ଆସି ସାଢ଼େ ୩ ଟାରେ ଛୁଟିକରି ଚାଲି ଯାଉଛନ୍ତି। ୩ ଜଣ ଶିକ୍ଷୟିତ୍ରୀ ୧୧ଟା ଭିତରେ ବିଦ୍ୟାଳୟ ଆସୁଥିବାବେଳେ ଜଣେ ଶିକ୍ଷୟିତ୍ରୀ ନିୟମିତ ଆସୁ ନାହାନ୍ତି ଓ ଅନ୍ୟ ଜଣେ ଶିକ୍ଷୟିତ୍ରୀ ୨୦୨୫ ନଭେମ୍ବର ୨୬ରୁ ଆଜିଯାଏଁ ବିଦ୍ୟାଳୟ ଆସି ନାହାନ୍ତି। ଏଥିରୁ ଏଠାରେ ଶିକ୍ଷା ବ୍ୟବସ୍ଥା କେମିତି ଚାଲିଛି ସହଜେ ଅନୁମେୟ । ସ୍କୁଲରେ ୩ ବର୍ଷରୁ ଊର୍ଦ୍ଧ୍ୱ ହେବ ବିଦ୍ୟାଳୟ ପରିଚାଳନା କମିଟି ନାହିଁ। ବିନା ପରିଚାଳନା କମିଟିରେ ବିଦ୍ୟାଳୟ ଚାଲିଛି l ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇ ପଡିଥିବାରୁ ଗୁରୁବାର ବାଧ୍ୟ ହୋଇ ଗ୍ରାମବାସୀ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ବିଦ୍ୟାଳୟରେ ଅନୁପସ୍ଥିତ ଥିବା ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରି ୨ଦିନ ଭିତରେ ୨ ଶିକ୍ଷକଙ୍କୁ ଦିଆଯିବ ବୋଲି ବ୍ଲକ ଶିକ୍ଷା ଅଧିକାରୀ ନାଏକ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରତିଶ୍ରୂତି ପୂରଣ ନ ହେଲେ ତୃତୀୟ ଦିନରେ ପୁଣି ବିଦ୍ୟାଳୟରେ ତାଲା ପକାଇ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏହି ସମୟରେ କୁବେର ଦଣ୍ଡସେନା, ପ୍ରମେଶ୍ୱର ଦଣ୍ଡସେନା, ଥାନୁଶ ରାମ ପଟେଲ, ଧନରାଜ ସତାନାମୀ, ଗୋବିନ୍ଦ ରାମ ଭଟ, ଭୋଜରାମ ରଣା, ଗୋଳୁ ଦଣ୍ଡସେନା, କାନ୍ତିରାମ ପଟେଲ, କୁଳଦୀପ ସୁରଜ, ୟାଦରାମ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ l

 

Dharitri – Odisha’s No.1 Odia Daily

 

Share