ଥୁଆମୂଳ ରାମପୁର, ୧୦ା୩ (ଦୁର୍ଗା କୀର୍ତ୍ତି): ସରକାରଙ୍କ “ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ” ନାରା ଏବେ କଳାହାଣ୍ଡି ଜିଲାରେ ପ୍ରହସନ ପାଲଟିଛି। ଶିକ୍ଷା ବ୍ୟବସ୍ଥାର ଚରମ ଅବହେଳାକୁ ପ୍ରତିବାଦ କରି ଥୁଆମୂଳ ରାମପୁର ବ୍ଲକର ବିରିକୋଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଦିନ ଉତ୍ତେଜନା ଦେଖାଦେଇଛି। ଦୀର୍ଘ ଦିନରୁ ଲାଗି ରହିଥିବା ଶିକ୍ଷକ ଅଭାବ ସମସ୍ୟାର ସମାଧାନ ନହେବାରୁ ଉତ୍ୟକ୍ତ ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇବା ସହ ଚାଲିଥିବା ବାର୍ଷିକ ପରୀକ୍ଷାକୁ ବର୍ଜନ କରିଛନ୍ତି।
ବିଦ୍ୟାଳୟରେ ବାଲ ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୧୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ମାତ୍ର ୨ ଜଣ ଶିକ୍ଷକ ନିଯୁକ୍ତ ଅଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ଅଧିକାଂଶ ସମୟ ଅଫିସ କାର୍ଯ୍ୟରେ ବ୍ୟସ୍ତ। ଦଳପତି ପ୍ରଧାନ ନାମକ ଶିକ୍ଷକ ଅଧିକାଂଶ ସମୟ ଛୁଟିରେ ରହୁଥିବା ଅଭିଯୋଗ ହେଉଛି। ଶ୍ରେଣୀ ଗୃହର ଅଭାବ ଓ ସୁରକ୍ଷିତ ପାଚେରୀ ନ ଥିବାରୁ ପିଲାଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ‘ଆମ ପିଲା କିଛି ପଢ଼ି ନାହାନ୍ତି, ତେଣୁ ସେମାନେ ପରୀକ୍ଷା ଦେବେ କ’ଣ?” ବୋଲି ଅଭିଭାବକମାନେ କୋହଭରା କଣ୍ଠରେ ପ୍ରଶ୍ନ କରିଛନ୍ତି।
ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାଧାକାନ୍ତ ନାଏକଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଓ ୱାର୍ଡ ମେମ୍ବର ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ସେମାନଙ୍କର ସ୍ପଷ୍ଟ ଚେତାବନୀ ଯେ, ଯେପର୍ଯ୍ୟନ୍ତ ଅତିକମରେ ୩ ଜଣ ନୂତନ ଶିକ୍ଷକ ନିଯୁକ୍ତି ନ ହୋଇଛନ୍ତି, ସେପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲାଯିବ ନାହିଁ। ଏଥିସହ ପୂର୍ବରୁ ଥିବା ଶିକ୍ଷକମାନଙ୍କୁ କେଉଁ ସ୍ବାର୍ଥରେ ବଦଳି କରାଗଲା, ସେ ନେଇ ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ।
ଏ ସମ୍ପର୍କରେ ଜିଲା ଅତିରିକ୍ତ ଶିକ୍ଷା ଅଧିକାରୀ (ABEO) ତପିମଣି ଜାନୀ କହିଛନ୍ତି ଯେ, ପିଲାଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତା ୨ ଦିନ ମଧ୍ୟରେ ଜଣେ ଶିକ୍ଷକଙ୍କୁ ଡେପୁଟେସନରେ ପଠାଯିବ। ଏପ୍ରିଲ ମାସ ସୁଦ୍ଧା ସ୍ଥାୟୀ ନିଯୁକ୍ତି ସହ ବାତିଲ ହୋଇଥିବା ପରୀକ୍ଷା ପାଇଁ ନୂତନ କାର୍ଯ୍ୟସୂଚୀ ପ୍ରକାଶ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।