ରତୀୟ ସଭ୍ୟତାର ପରିକଳ୍ପନା, ନିର୍ମାଣ ଓ ବ୍ୟାଖ୍ୟାନରେ ଦୁଇଟି ଶବ୍ଦ- ଶିକ୍ଷା ଓ ସଂସ୍କାର; ବିଶେଷ ଭାବେ ଚର୍ଚ୍ଚିତ ଓ ଆଲୋଚିତ। ବସ୍ତ୍ରର ଦୁଇଟି ସୂତ୍ର ପରି, ମୁଦ୍ରାର ଦୁଇଟି ପାର୍ଶ୍ୱ ପରି ଏହା ଅଙ୍ଗାଙ୍ଗୀ ରୂପେ ସମ୍ପର୍କିତ। ଶିକ୍ଷା କହିଲେ ସାଧାରଣ ଅର୍ଥରେ ବିଦ୍ୟା ଅର୍ଜନ, ଜ୍ଞାନ ଆହରଣକୁ ବୁଝାଏ। ସଂସ୍କାର ହେଉଛି ବହୁସ୍ତରୀୟ। ଏହା ମୁଖ୍ୟତଃ ବ୍ୟକ୍ତିର ଅନ୍ତଃନିର୍ମାଣ, ନୈତିକତା, ବିନମ୍ରତା, ଉଦାରତା ଉପରେ ପର୍ଯ୍ୟବସିତ ଯାହା ସାମଗ୍ରିକ ଭାବରେ ଶିକ୍ଷାର ଉପଯୋଗ ପାଇଁ ମାର୍ଗ ଦର୍ଶାଏ। ଶିକ୍ଷା ଓ ସଂସ୍କାରକୁ ବିଚ୍ଛିନ୍ନ କଲେ, ହୁଏତ ଆମେ ମହତ୍କାମୀ ଆଦର୍ଶବାଦୀ ପାଇବା ନ ହେଲେ ଉଦାସୀନ ଚତୁର ଧୂର୍ତ୍ତକୁ। ଶିକ୍ଷାର ପ୍ରକୃତ ଲକ୍ଷ୍ୟ ହେଉଛି ଜ୍ଞାନ ଓ ବିବେକ ସମନ୍ବିତ ବ୍ୟକ୍ତି ନିର୍ମାଣ।
ଓ ସଂସ୍କାରର ମହତ୍ତ୍ୱ ପ୍ରତିପାଦନ କରୁଥିବା ଅଜସ୍ର ଲୋକ କଥା, କାହାଣୀ ଆମକୁ ଉପଲବ୍ଧ। ଗ୍ରନ୍ଥ ପୁରାଣରେ ଏହାର ସାରବତ୍ତା ବର୍ଣ୍ଣିତ ହୋଇଛି, ଯାହା ଆମ ପାଇଁ ଆଲୋକ ବର୍ତ୍ତିକା ସଦୃଶ। ଭଗବଦ୍ ଗୀତାରେ ଭଗବାନ୍ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯେଉଁ ଉପଦେଶ ଦେଉଛନ୍ତି, ତା’ର ମାର୍ମିକ ଓ ବ୍ୟବହାରିକ ଆବେଦନ ଅନନ୍ୟ। ବିନମ୍ରତା ସହ ନିଷ୍କାମ କର୍ମ ସମ୍ପାଦନର ମହାନ୍ ଶିକ୍ଷା ବାସ୍ତବରେ ଜୀବନର ଦିଶା ନିର୍ଣ୍ଣୟ ପାଇଁ ଉଦ୍ଦିଷ୍ଟ। ମହାଭାରତରେ ଧନୁର୍ବିଦ୍ୟାରେ ପାରଙ୍ଗମତା ସହ ଚାରିତ୍ରିକ ସ୍ବଚ୍ଛତା ଓ ଦୃଢ଼ତାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ପଞ୍ଚତନ୍ତ୍ରରେ ପ୍ରତ୍ୟେକ କାହାଣୀର ଆଧାର ଓ ଉଦ୍ଦେଶ୍ୟ ହେଉଛି ନୀତିଶିକ୍ଷା। ନୈତିକତା ବିନା ଶିକ୍ଷା ଅସାର। ଏହିସବୁ ବର୍ଣ୍ଣନା, ଚିନ୍ତନ ଓ ଉପସ୍ଥାପନ ସୂଚେଇ ଦିଏ ଯେ ଭାରତୀୟ ବିଚାର ସଂହିତାରେ ଶିକ୍ଷା ଓ ସଂସ୍କାର ଅଙ୍ଗୀଭୂତ। ମସ୍ତିଷ୍କ ଓ ହୃଦୟ ମଧ୍ୟରେ ସମନ୍ବୟ ଓ ସମ୍ପର୍କ ଏକାନ୍ତ ଜରୁରୀ। ଶ୍ରେଣୀଗୃହରୁ ପ୍ରାପ୍ତ ଶିକ୍ଷା ସହ ସାମାଜିକ ଆବେଗିକ କ୍ଷେତ୍ରରୁ ପ୍ରାପ୍ତ ଶିକ୍ଷା ସମନ୍ବିତ ହେଲେ ହିଁ ଶିକ୍ଷା ସମ୍ପୂର୍ଣ୍ଣ ହୋଇପାରିବ। ଦୟା, କରୁଣା ଓ ଶୃଙ୍ଖଳାର ଉର୍ବର ଭୂମିରେ ମସ୍ତିଷ୍କର ବିକାଶ ତ୍ୱରାନ୍ବିତ ହୋଇଥାଏ।
ଆମେ ଯଦି କେଉଁ ସୁଗୁଣଗୁଡ଼ିକ ଜୀବନରେ ଆପଣେଇବା ପାଇଁ ଚିନ୍ତା କରିବା, ତେବେ ଅନେକ ଆମ ଆତ୍ମବୋଧକୁ ଆସିବ। ସେଗୁଡ଼ିକ ମଧ୍ୟରୁ ମାନବୀୟ ସମ୍ବେଦନା, ସାଧୁତା, ପ୍ରତିଦାନ ପ୍ରବୃତ୍ତି, ଅଭିନବ ସାହସିକତା, ମୂଳ ସଂଯୁକ୍ତି, ବିନମ୍ରତା, କୃତଜ୍ଞତା ଓ ଅନ୍ତହୀନ ମାନବୀୟ ଅର୍ଥପୂର୍ଣ୍ଣ ଅନ୍ବେଷା ଅନ୍ୟତମ। ଏଗୁଡ଼ିକ ସମ୍ପର୍କରେ ବିଶେଷ ତର୍ଜମା କରାଯାଇପାରେ। ମାନବବାଦ ଶିକ୍ଷାକୁ ବହିର୍ମୁଖୀ କରାଏ। ସମାଜର ବୃହତ୍ତର ମଙ୍ଗଳ ନିମନ୍ତେ ଶିକ୍ଷାକୁ ପ୍ରେରିତ କରେ। ସାଧୁତା, ଜ୍ଞାନ ଓ ବୁଦ୍ଧିକୁ ପଥଭ୍ରଷ୍ଟ ହେବାକୁ ଦିଏ ନାହିଁ। ଉତ୍କୃଷ୍ଟ ଉପଯୋଗ ପାଇଁ କ୍ଷେତ୍ର ପ୍ରସ୍ତୁତ କରାଏ। ପ୍ରତିଦାନ ପ୍ରବୃତ୍ତି ସାମାଜିକ ପ୍ରତିବଦ୍ଧତାକୁ ପରିପୁଷ୍ଟ କରିବା ସହ ସଫଳତାକୁ ସାମାଜିକ ସମ୍ବଳରେ ରୂପାନ୍ତରିତ କରେ। ଅଭିନବ ସାହସିକତା ପରମ୍ପରାର ନୂତନ ଆଂଶିକ ନିର୍ମାଣ କରି ସମୟର ଆହ୍ବାନ ଓ ଆବଶ୍ୟକତା ଆଧାରରେ ପ୍ରାସଙ୍ଗିକ କରି ଗଢ଼େ। ପୁରୁଣା ଲକ୍ଷ୍ୟର ପରିପୂର୍ତ୍ତି ପାଇଁ ନୂଆ ଉପକରଣ ଓ ଉପାୟ ବାହାର କରେ। ବିନମ୍ରତା ପ୍ରାପ୍ତିର ଅହମିକାକୁ ପ୍ରତିରୋଧ କରେ। କୃତଜ୍ଞତାବୋଧ ଅନୁଚିତ ଆହରଣ ପ୍ରବୃତ୍ତିକୁ ସଂଯମ କରାଏ।
ଭାବବୋଧ ଓ ଆଦର୍ଶକୁ ଆଧାର କଲେ ଅନୁଷ୍ଠାନଗୁଡ଼ିକ ମାନବୀୟ ମୂଲ୍ୟବୋଧର ଜୀବନ୍ତ ପ୍ରୟୋଗଶାଳା ହୋଇପାରିବ। ମୋ ଦୃଷ୍ଟିରେ କିଟ୍- କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି ଉପରୋକ୍ତ ଭାବାଦର୍ଶର ସକ୍ରିୟ ଧାରକ ଓ ବାହକ। ଗୁଣାତ୍ମକ ଶିକ୍ଷା ସାମାଜିକ ରୂପାନ୍ତରଣର ପ୍ରମୁଖ ଆୟୁଧ। ଏହି ଦର୍ଶନକୁ ଭିତ୍ତିକରି କିଟ୍ ପ୍ରତିଷ୍ଠିତ ହୋଇଥିଲା। କିଟ୍ରେ ପ୍ରୟୋଗ ହୋଇଛି ସାମାଜିକ ଅଙ୍ଗୀକାର ସହ ଶିକ୍ଷଣର ଅନନ୍ୟ ମିଶ୍ରଣ; ଜ୍ଞାନ ଆହରଣ ସହ ଜ୍ଞାନର ସାମାଜିକୀକରଣ। ଏହ ମଧ୍ୟ ପ୍ରତିଫଳିତ ହୋଇଛି କିଟ୍ର ଅନ୍ୟ ଏକ ସମ୍ପର୍କିତ ସଂସ୍ଥା କିସ୍ (କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସ୍)ରେ; ଯାହାକି ପୃଥିବୀର ସବୁଠୁ ବଡ଼ ଜନଜାତିଙ୍କ ପାଇଁ ସମ୍ପୂର୍ଣ୍ଣ ଦେୟମୁକ୍ତ ଆବାସିକ ଶିକ୍ଷାନୁଷ୍ଠାନ। ଏଠାରେ ଶିକ୍ଷା ଓ ସଂସ୍କାରର ପ୍ରୟୋଗ ହୋଇଛି, ଯାହା ଅନୁଷ୍ଠାନକୁ ବିଶେଷ ଔଜ୍ଜ୍ୱଲ୍ୟ ପ୍ରଦାନ କରିଛି। ଏହା ଶିକ୍ଷା, ପୁଷ୍ଟି, ସ୍ବାସ୍ଥ୍ୟସେବା, କ୍ରୀଡ଼ା ଓ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ସହ ଅଶୀ ହଜାରରୁ ଊର୍ଦ୍ଧ୍ୱ ଜନଜାତି ଛାତ୍ରୀଛାତ୍ରଙ୍କ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ୱ ବିକାଶରେ ସମର୍ପିତ। ଏଠି ଲକ୍ଷ୍ୟ ଏବଂ ମାଧ୍ୟମ ଏକ ଓ ଅଭିନ୍ନ।
କେବଳ ଶିକ୍ଷା କାର୍ଯ୍ୟକ୍ରମରେ ସୀମିତ ରହିନି କିଟ୍। ଏଠି ଅଛି ଏକ କ୍ରିୟାଶୀଳ ଛାତ୍ର ସଂସ୍କୃତି। ବିବିଧ କ୍ଲବ, ସାଂସ୍କୃତିକ ସଂଘ, ନବାଚାର ପ୍ରକୋଷ୍ଠ ମାଧ୍ୟମରେ ସର୍ଜନା, ନାଗରିକ ସମ୍ପୃକ୍ତି, ଦଳଗତ ପ୍ରୟାସକୁ ପ୍ରୋତ୍ସାହନ ମିଳୁଛି। ଜାତୀୟ ସେବା ସଂସ୍ଥାରେ ସାମିଲ ହୋଇଛନ୍ତି କିଟ୍ ଓ କିସ୍ର ହଜାର ହଜାର ସ୍ବେଚ୍ଛାସେବୀ ଛାତ୍ରୀଛାତ୍ର। ଗ୍ରାମ୍ୟ ଉନ୍ନୟନ, ସ୍ବାସ୍ଥ୍ୟ ସଚେତନତା ଅଭିଯାନ, ପରିବେଶ ସୁରକ୍ଷା, ଆପାତ୍କାଳୀନ ସହାୟତା ଆଦି କାର୍ଯ୍ୟରେ ସେମାନଙ୍କ ଭୂମିକା ବେଶ୍ ପ୍ରଶଂସନୀୟ। ମାଧ୍ୟମ ସାଜିଛି ଆର୍ଟ ଅଫ୍ ଗିଭିଂ, ଏଜୁକେଶନ ଫର୍ ଅଲ୍, ନିଉ ମାଇଣ୍ଡସ୍ ନିଉ ଡ୍ରିମ୍, କନ୍ୟା କିରଣ ଏବଂ କଳିଙ୍ଗ ଫେଲୋଶିପ୍ ଭଳି ଉଲ୍ଲେଖନୀୟ ଉପକ୍ରମ। ସେମାନେ ବାସ୍ତବରେ କାର୍ଯ୍ୟ ମାଧ୍ୟମରେ ସଂସ୍କାରିତ ହେବାର ଜୀବନ୍ତ ପ୍ରୟୋଗଶାଳା ଭାବରେ ପରିଚିତ।
ପ୍ରତିଷ୍ଠାତାଙ୍କ ମୂଲ୍ୟବୋଧ ଅନୁଷ୍ଠାନର ଗୁଣସୂତ୍ରରେ ସଞ୍ଚରିଯାଇ ଏହାକୁ ରୂପରେଖ ପ୍ରଦାନ କରେ। ମୋର ଭାବାଦର୍ଶ, ପ୍ରତିଟି ଜୀବନର ପବିତ୍ରତା ଓ ପ୍ରତିଦାନର କର୍ତ୍ତବ୍ୟବୋଧରେ ଅନୁପ୍ରାଣିତ ଛାତ୍ରୀଛାତ୍ରମାନେ ଐତିହ୍ୟ ଓ ପରମ୍ପରା ସହ ସମ୍ବନ୍ଧିତ ରହି ଭବିଷ୍ୟତର ଯାତ୍ରା ପାଇଁ ପ୍ରସ୍ତୁତି କରୁଛନ୍ତି। ବ୍ୟକ୍ତିଗତ ସମ୍ପତ୍ତି ନ ଥିଲା ମୋର, ସାଦା ସରଳ ଜୀବନ ହିଁ ପିଲାମାନଙ୍କ ପାଇଁ ପ୍ରଭାବଶାଳୀ ବାର୍ତ୍ତା। ସଫଳତାର ମାନଦଣ୍ଡ ହେଉଛି କେତେ ଜୀବନକୁ ସକାରାତ୍ମକ ଭାବେ ପ୍ରଜ୍ୱଳିତ କରିପାରିବା। ଏହାର ଅର୍ଥ ହେଉଛି ନୀତି ଓ ନୈତିକତାକୁ ବଜାୟ ରଖି ଆମେ ସ୍ବପ୍ନ ଦେଖିପାରିବା, ନୂଆ କଥା କରିପାରିବା, ସାହସିକ ପଦକ୍ଷେପ ନେଇପାରିବା ଏବଂ ବିଶାଳ ସଫଳତାର ଅଧିକାରୀ ହୋଇପାରିବା।
ଯୁବାବସ୍ଥାରେ ଯେ ନିଜ ସହିତ, ନିଜ ଆବେଗ ସହିତ ଓ ଅନ୍ୟମାନଙ୍କ ସହିତ ଖାପ୍ଖୁଆଇ ଚଳିବା ଶିଖେ, ସେ ଜୀବନରେ ବହୁତ ଆଗକୁ ଯାଏ, ସଫଳ ହୁଏ। ଆବେଗିକ ବୁଦ୍ଧିମତ୍ତା ଓ ପରିସ୍ଥିତି ସହ ଖାପ୍ ଖୁଆଇବା ପ୍ରବଣତା ହେଉଛି ଦୁଇଟି ବିଶିଷ୍ଟ ଗୁଣ। ଶୃଙ୍ଖଳା ହେଉଛି ବସ୍ତୁତଃ ଆତ୍ମନିୟନ୍ତ୍ରଣ। ସକାରାତ୍ମକ ମାନସିକତା ହେଉଛି ଉଜ୍ଜ୍ୱଳ ଭବିଷ୍ୟତର ରୂପକାର। ଏହା ଅନ୍ତଃ ଔଜ୍ଜ୍ୱଲ୍ୟର ପ୍ରକାଶକ ଯାହା ନିଜଠୁ ବିଚ୍ଛୁରିତ ହୁଏ। ଏହା ଶକ୍ତି ଓ ସୌନ୍ଦର୍ଯ୍ୟର ପ୍ରତୀକ। ଦୂରଦୃଷ୍ଟି ଓ ଦାୟିତ୍ୱ ହେଉଛି ସାମୟିକ ଚାପକୁ ପ୍ରତିରୋଧ କରିବା ଯାହା ନିଜ ପ୍ରିୟଜନଙ୍କ ଜୀବନବ୍ୟାପୀ ଦୁଃଖର କାରଣ ହୋଇପାରେ। ଦୃଷ୍ଟିଭଙ୍ଗୀ ନିର୍ଦ୍ଧାରଣ କରି ଲକ୍ଷ୍ୟ ଏବଂ ଲକ୍ଷ୍ୟ ହାସଲର ସଫଳତାର କାରକ ହେଉଛି ନିଜସ୍ବ ଆଚାର। ଅସଲ ସାଫଲ୍ୟ ଏକାନ୍ତରେ ନୁହେଁ, ବରଂ ସମ୍ମିଳିତ ଭାବରେ ହାସଲ କରାଯାଏ, ଅନ୍ୟମାନଙ୍କୁ ସାଥିରେ ନେଇ, ପ୍ରତ୍ୟେକଙ୍କ ଅଭିବୃଦ୍ଧିକୁ ସନ୍ନିହିତକରି ଅନ୍ତର୍ଭୁକ୍ତି ପ୍ରକ୍ରିୟାରେ ଅର୍ଜନ କରାଯାଏ। ଏହା ଅବାସ୍ତବ ତତ୍ତ୍ୱ ନୁହେଁ। ଏହା କିଟ୍ର ଜୀବନ୍ତ ଦର୍ଶନ। ଏଠି ଛାତ୍ରୀଛାତ୍ର କେବଳ ଶିକ୍ଷା ନୁହେଁ, ସଂସ୍କାର ମଧ୍ୟ ପାଆନ୍ତି ଏବଂ ଜୀବନ ଗଢ଼ନ୍ତି।
ଓ ସଂସ୍କାରର ପୁନଃ ସଂଯୋଗୀକରଣର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଉଛି କେବଳ ଦକ୍ଷ ମସ୍ତିଷ୍କ ନୁହେଁ ବିବେକୀ ହୃଦୟ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବା। ଭାରତରେ ଶିକ୍ଷା ସବୁବେଳେ କୌଶଳତାରେ ସୀମିତ ରହିନାହିଁ। ଶିକ୍ଷା ସହ ସଂସ୍କାରକୁ ଯୋଡ଼ିବାକୁ ଏକ ପବିତ୍ର କର୍ତ୍ତବ୍ୟ ଭାବରେ ବିବେଚନା କରାଯାଇଛି। ମୂଲ୍ୟବୋଧ ବିନା ଜ୍ଞାନ ନିରର୍ଥକ ଏବଂ ସେହିପରି ଜ୍ଞାନ ବିନା ମୂଲ୍ୟବୋଧ ମଧ୍ୟ ଶକ୍ତିହୀନ। ଯେତେବେଳେ ଆମର ଯୁବ ସମାଜ ଅତ୍ୟାଧୁନିକ ଦକ୍ଷତା ସହ ଆମ ସଭ୍ୟତାର ଶାଶ୍ୱତ ମୂଲ୍ୟବୋଧକୁ ଧାରଣ କରିବେ, ସେମାନେ ଆତ୍ମନିର୍ଭର ଭାରତ ଓ ବିଶ୍ୱଗୁରୁ ଭାରତର ସମର୍ଥ ସ୍ଥପତି ହୋଇପାରିବେ। ଏହା ହିଁ କିଟ୍ ଓ କିସ୍ର ଲକ୍ଷ୍ୟ ଓ ଆଦର୍ଶ ଏବଂ ଏହାର ପରିପୂରଣରେ ନିରନ୍ତର କାର୍ଯ୍ୟରତ। ସଫଳ ସ୍ନାତକ ନିର୍ମାଣ କରୁଛି ଯେଉଁମାନେ ନିଜ ବୃତ୍ତିରେ ଉତ୍କର୍ଷ ସାଧନ ସହ ନିଜ ଗୋଷ୍ଠୀ ଓ ସମାଜର ସେବାରେ ସମର୍ପିତ ହୋଇ ଆମ ଜାତିର, ଦେଶର ନିଃସମୟ ଆତ୍ମିକ ଭାବବୋଧର ଅଗ୍ରଣୀ କାରକ ହୋଇପାରିବେ।
ଶିକ୍ଷାବିତ୍ ଓ ସମାଜସେବୀ