ଲାଲୁ, ତେଜସ୍ବୀଙ୍କୁ ଇଡି ସମନ

ନୂଆଦିଲ୍ଲୀ,୨୧ା୧୨: ଜମି ବଦଳରେ ରେଲଓ୍ବେରେ ନିଯୁକ୍ତି ଦୁର୍ନୀତି ମାମଲାର ମନିଲଣ୍ଡରିଂ ଦିଗ ଉପରେ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏବଂ ତାଙ୍କ ବାପା ତଥା ଆର୍‌ଜେଡି ଅଧ୍ୟକ୍ଷ ଲାଲୁ ଯାଦବଙ୍କୁ ଜେରା ପାଇଁ ହାଜର ହେବା ନିମନ୍ତେ ସମନ ଜାରି କରିଛି। ଆସନ୍ତା ୨୨ ତାରିଖରେ ତେଜସ୍ବୀଙ୍କୁ ଜେରା ପାଇଁ ଇଡିର ଦିଲ୍ଲୀ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିବାବେଳେ ୭୫ ବର୍ଷୀୟ ଲାଲୁଙ୍କୁ ୨୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତ ଏପ୍ରିଲ ୧୧ରେ ଇଡି ଅଧିକାରୀମାନେ ତେଜସ୍ବୀଙ୍କୁ ୮ ଘଣ୍ଟା ଜେରା କରିଥିବାବେଳେ ପ୍ରଥମ ଥର ପାଇଁ ଲାଲୁଙ୍କୁ ସମନ କରାଯାଇଛି। ପ୍ରଥମ ପାଳି ଉପା ସରକାରରେ ଲାଲୁ ରେଳମନ୍ତ୍ରୀ ଥିବାବେଳେ ଆଶାୟୀ ପ୍ରାର୍ଥୀମାନଙ୍କଠାରୁ ମୂଲ୍ୟବାନ ଜମି ନେଇ ସେମାନଙ୍କୁ ରେଲଓ୍ବେରେ ନିଯୁକ୍ତି ଦିଆଯାଇଥିଲା।

Share