କୋଲକାତା ବ୍ୟବସାୟୀଙ୍କ ଘରୁ ୧୭ କୋଟି ଜବତ କଲା ଇଡି

ନୂଆଦିଲ୍ଲୀ/କୋଲକାତା,୧୧ା୯: ମୋବାଇଲ ଗେମିଂ ଆପ୍‌ ଜାଲିଆତି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର କୋଲକାତାର ୬ଟି ସ୍ଥାନରେ ଚଢ଼ାଉ କରିଛି। ବ୍ୟବସାୟୀ ଆମିର ଖାନ୍‌ଙ୍କ କୋଲକାତାର ଗାର୍ଡେନ ରିଚ୍‌ ଅଞ୍ଚଳରେ ଥିବା ଘରେ ସମେତ ଉକ୍ତ ଆପ୍‌ର ଅନ୍ୟ ପ୍ରମୋଟରଙ୍କ ଘରେ ଚଢ଼ାଉ ବେଳେ ନଗଦ ୧୭ କୋଟି ଟଙ୍କା ଓ ସମ୍ପତ୍ତି ଦସ୍ତାବିଜ୍‌ ଜବତ ହୋଇଛି। ଚଢ଼ାଉରେ ଇଡି ଅଧିକାରୀଙ୍କ ସହ ବ୍ୟାଙ୍କ କର୍ମଚାରୀମାନେ ସାମିଲ ହୋଇଥିଲେ। ଇ-ନଗେଟ୍ସ ନାମକ ମୋବାଇଲ ଗେମିଂ ଆପ୍‌ ଜରିଆରେ ବ୍ୟବହାରକାରୀଙ୍କୁ ଠକୁଥିବା ଆମିର ଓ ଅନ୍ୟମାନଙ୍କ ବିରୋଧରେ ଫେଡେରାଲ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅଭିଯୋଗ ପରେ ଇଡି ପକ୍ଷରୁ ମନିଲଣ୍ଡରିଂ ପ୍ରତିକାର ଆଇନ (ପିଏମ୍‌ଏଲ୍‌ଏ)ରେ ମାମଲା ରୁଜୁ ହୋଇଥିଲା। ଉକ୍ତ ଆପ୍‌ରେ ପ୍ରଥମେ ୟୁଜରମାନଙ୍କୁ କମିଶନ ଦିଆଯାଇଥାଏ। ନିବେଶକମାନେ ବିନା ବାଧାରେ ସେମାନଙ୍କ ଟଙ୍କା ଉଠାଇପାରିବାର ପ୍ରତିଶ୍ରୁତି ଦିଆଯାଇଥାଏ। କମିଶନ ପାଇବା ପାଇଁ ନିବେଶକମାନେ ସେଥିରେ ମୋଟା ଅଙ୍କର ଅର୍ଥ ଲଗାଇ ଅଧିକ କିଣିବା ପାଇଁ ଅର୍ଡର କରିଥାନ୍ତି। ଲୋକଙ୍କଠାରୁ ପ୍ରଚୁର ଅର୍ଥ ସଂଗ୍ରହ କରିବା ପରେ ହଠାତ୍‌ ଉକ୍ତ ଆପ୍‌ରୁ ଟଙ୍କା ଉଠାଇବା ବନ୍ଦ ହୋଇଯାଏ। ଏହା ପରେ ପ୍ରୋଫାଇଲ ସୂଚନା ସମେତ ସମସ୍ତ ଡାଟା ମଧ୍ୟ ଆପ୍‌ ସର୍ଭରରୁ ଲିଭିଯାଇଥାଏ। ୟୁଜର ଠକାମିର ଶିକାର ହୋଇଥିବା ସେତେବେଳେ ବୁଝିପାରନ୍ତି ବୋଲି ଇଡି କହିଛି।