ନୂଆଦିଲ୍ଲୀ,୨୯।୧: ଦିନକୁ ଦିନ ଭାରତୀୟ ଯୁବପିଢ଼ିଙ୍କ ଡିଜିଟାଲ ନିଶା ବଢ଼ିବାରେ ଲାଗିଛି। ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ୨୦୨୫-୨୬ ରିପୋର୍ଟରେ ଏହି ଧାରାକୁ ‘ଉଦ୍ବେଗଜନକ’ ବୋଲି ଦର୍ଶାଯାଇଛି। ବିଶେଷ କରି ଶିଶୁ ଏବଂ କିଶୋରମାନଙ୍କ ମଧ୍ୟରେ ଦ୍ରୁତ ଗତିରେ ବଢୁଥିବା ଡିଜିଟାଲ୍ ଆସକ୍ତିକୁ ନେଇ ସରକାର ଚିନ୍ତା ପ୍ରକଟ କରିଛନ୍ତି। ସ୍ମାର୍ଟଫୋନ୍, ସୋସିଆଲ ମିଡିଆ ଏବଂ ଗେମିଂରେ ଅତ୍ୟଧିକ ସମୟ ବିତାଇବା ଯୋଗୁଁ ଯୁବପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟ ଓ ଶିକ୍ଷା ଗୁରୁତର ଭାବେ ପ୍ରଭାବିତ ହେଉଥିବା ଏଥିରେ ଚେତାବନୀ ଦିଆଯାଇଛି।
ରିପୋର୍ଟ ଅନୁଯାୟୀ, ଅତ୍ୟଧିକ ସ୍କ୍ରିନ୍ ବ୍ୟବହାର ଯୋଗୁଁ ଏକାଗ୍ରତା ହ୍ରାସ, ନିଦ୍ରାହୀନତା, ଉଦ୍ବେଗ ଏବଂ ଅବସାଦ ଭଳି ସମସ୍ୟା ଦେଖାଦେଉଛି। ମନୋବିଜ୍ଞାନୀଙ୍କ ମତରେ, ଶାରୀରିକ କାର୍ଯ୍ୟକଳାପ କମିବା କାରଣରୁ କମ୍ ବୟସରୁ ଜୀବନଶୈଳୀ ଜନିତ ରୋଗ ମଧ୍ୟ ବୃଦ୍ଧି ପାଉଛି।
ଏହି ନିଶା କେବଳ ବ୍ୟକ୍ତିଗତ ନୁହେଁ, ବରଂ ଆର୍ଥିକ କ୍ଷତିର ମଧ୍ୟ କାରଣ ସାଜୁଛି। ଅନଲାଇନ୍ ଗେମିଂରେ ଅର୍ଥ ନଷ୍ଟ, ସାଇବର ଠକେଇ ଏବଂ କାର୍ଯ୍ୟଦକ୍ଷତା ହ୍ରାସ ଯୋଗୁଁ ଦେଶର ଦୀର୍ଘକାଳୀନ ଅର୍ଥନୈତିକ ଅଭିବୃଦ୍ଧି ପ୍ରଭାବିତ ହେବା ଆଶଙ୍କା ରହିଛି। ଏଥିସହିତ ଡିଜିଟାଲ୍ ଜଗତରେ ବ୍ୟସ୍ତ ରହିବା ଫଳରେ ଯୁବପିଢ଼ି ପରିବାର ଓ ସମାଜଠାରୁ ଦୂରେଇ ଯାଉଛନ୍ତି, ଯାହା ସେମାନଙ୍କ ସାମାଜିକ ଦକ୍ଷତାକୁ ଦୁର୍ବଳ କରୁଛି।
ରିପୋର୍ଟରେ କୁହାଯାଇଛି ଯେ, ୧୫ ରୁ ୨୪ ବର୍ଷ ବୟସ୍କଙ୍କ ମଧ୍ୟରେ ସୋସିଆଲ ମିଡିଆ ଆସକ୍ତି ଯୋଗୁଁ ଆତ୍ମହତ୍ୟା ହାର ଏବଂ ସାଇବର ବୁଲିଂ ଭଳି ଘଟଣା ବୃଦ୍ଧି ପାଉଛି। ବର୍ତ୍ତମାନ ଭାରତରେ ପ୍ରାୟ ୩୫ କୋଟି ଲୋକ ସୋସିଆଲ ମିଡିଆ ଏବଂ ୪୦ କୋଟି ଲୋକ ଓଟିଟି ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି।
ଏଭଳି ସ୍ଥିତିରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସର୍ଭେରେ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ସୁପାରିଶ କରାଯାଇଛି। କ୍ଲାସରୁମ୍ରେ ସ୍ମାର୍ଟଫୋନ୍ ବ୍ୟବହାର ଉପରେ ରୋକ୍ ଲଗାଇବାକୁ କୁହାଯାଇଛି। ପିଲାମାନଙ୍କ ପାଇଁ ସ୍କ୍ରିନ୍-ଟାଇମ୍ ସୀମା ନିର୍ଦ୍ଧାରଣ ଏବଂ ସାଇବର-ସୁରକ୍ଷା ଶିକ୍ଷା ମଧ୍ୟ ଆଗକୁ ପ୍ରଦାନ କରାଯିବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଅଭିଭାବକମାନେ ଘରେ ‘ଡିଭାଇସ୍-ଫ୍ରି’ ସମୟ ପାଳନ କରିବା ଏବଂ ପିଲାଙ୍କୁ ଶାରୀରିକ ଖେଳକୂଦ ପାଇଁ ଉତ୍ସାହିତ କରିବା ଆବଶ୍ୟକ। ସରକାରଙ୍କ ତରଫରୁ ମଧ୍ୟ ମାନସିକ ସ୍ୱାସ୍ଥ୍ୟ ହେଲ୍ପଲାଇନର ବ୍ୟାପକ ପ୍ରସାର କରାଯିବ।
ଅଷ୍ଟ୍ରେଲିଆ, ଚାଇନା ଏବଂ ଦକ୍ଷିଣ କୋରିଆ ଭଳି ଦେଶଗୁଡ଼ିକ ଯୁବପିଢ଼ିଙ୍କୁ ଡିଜିଟାଲ୍ ନିଶାରୁ ମୁକ୍ତ କରିବା ପାଇଁ କଡ଼ା ନିୟମ ପ୍ରଣୟନ କରିଛନ୍ତି। ଭାରତ ମଧ୍ୟ ଏହି ଦିଗରେ ଚିନ୍ତା କରିବାର ସମୟ ଆସିଛି ବୋଲି ରିପୋର୍ଟରେ କୁହାଯାଇଛି।