ବଡ଼ଗାଁ,୧୪।୧୦(ଅଶୋକ ଷଡଙ୍ଗୀ): ଡ଼ାକ୍ତରଖାନାରେ ରୋଗୀ କିପରି ଉତ୍ତମ ସ୍ବାସ୍ଥ୍ୟ ସେବା ପାଇପାରିବେ ସେଥିପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରିଥିଲାବେଳେ ଆବଶ୍ୟକ ଉପକରଣ, ଯନ୍ତ୍ରପାତି ଯୋଗାଇ ଦେଉଛନ୍ତି। ହେଲେ ଅବ୍ୟବସ୍ଥା କାରଣରୁ ଏହା ରୋଗୀଙ୍କ କାମରେ ନ ଆସି ଦୀର୍ଘମାସ ଓ ବର୍ଷ ପର୍ଯ୍ୟନ୍ତ ଅଚଳ ହୋଇ ରହିଛି। ତଥାପି ଏସବୁର ସୁବ୍ୟବସ୍ଥା କରାଯାଇ ପାରୁନାହିଁ। ଫଳରେ ରୋଗୀ ସହରକୁ ଯାଇ ଖର୍ଚ୍ଚାନ୍ତରେ ପଡୁଛନ୍ତି। ଏଭଳି ସମସ୍ୟା ଦେଖାଦେଇଛି ସୁନ୍ଦରଗଡ଼ ଜିଲା ବଡ଼ଗାଁସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ। ତିନିମାସ ପୂର୍ବେ ବଡ଼ଗାଁ ଡ଼ାକ୍ତରଖାନାକୁ ମିଳିଥିବା ଇସିଜି ମେଶିନ ମାତ୍ର କିଛିଦିନ ଚାଲିବା ପରେ ଅଚଳ ହୋଇଯାଇଥିଲା। ହେଲେ ଏ ସମ୍ପର୍କରେ ଦାୟିତ୍ୱରେ ଥିବା କର୍ମଚାରୀମାନେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଓ ବିପିଏମଙ୍କୁ ଜଣାଇ ନ ଥିଲେ।
ମଙ୍ଗଳବାର ସକାଳେ କେତେକ ଗ୍ରାମବାସୀଙ୍କଠାରୁ ଇସିଜି ମେସିନ କାମ କରୁ ନ ଥିବା ସୁଚନାପାଇ ଆମ ପ୍ରତିନିଧିଡ଼ାକ୍ତରଖାନାକୁ ଯାଇ କର୍ମଚାରୀ ମାନଙ୍କୁ ପଚରିବୁଝିବାରୁ ସେମାନେ ଇସିଜି ମେସିନ ଖରାପ ଥିବା କହିଥିଲେ। ତେବେ ଏ ନେଇ ବିପିଏସ ଗୀତାଞ୍ଜଳି ରାଉତରାୟଙ୍କୁ ପଚାରିବାରୁ ମେଶିନ ଅଚଳ ଥିବା ତାଙ୍କୁ କିମ୍ବା ସିଏଚସି ଅଧିକାରୀଙ୍କୁ କର୍ମଚାରୀମାନେ ଜଣାଇ ନ ଥିଲେ। ଆସନ୍ତାକାଲି ମେଶିନ ଠିକ କରିବା ପାଇଁ ମେକାନିକ ଆସିବେ ବୋଲି କହିଛନ୍ତି।
ଏହା ସହ ମେଶିନ ଖରାପ ଥିବା ସତ୍ତ୍ୱେ କାହିଁକି ଏତେଦିନ ଜଣାଇ ନ ଥିଲେ ଏକ୍ସପ୍ଲାନେଶନ ମଗାଯାଇଛି ବୋଲି କହିଛନ୍ତି। ତେବେ ବଡ଼ଗାଁ ଡ଼ାକ୍ତରଖାନାରେ ଥିବା ପୁରାଣ ଏକ୍ସରେ ମେଶିନକୁ ବଦଳାଇ ଦେଢ଼ ବର୍ଷ ହେଲା ନୂଆଁ ମେଶିନ ଆସିଥିଲେ ମଧ୍ୟ ଟେକନିଶିଆନ ଅଭାବରୁ ବ୍ୟବହାର କରାଯାଇପାରୁନାହିଁ। ଏହିସବୁ ସମସ୍ୟା ଉପରେ ରୋଗୀ କଲ୍ୟାଣ ସମିତିରେ ବାରମ୍ବାର କୁହାଯାଉଥିଲେ ମଧ୍ୟ ସୁଫଳ ମିଳୁ ନ ଥିବା କୁହାଯାଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।