ନୂଆଦିଲ୍ଲୀ,୨୦ା୯: ଗତ ୬ ବର୍ଷ ମଧ୍ୟରେ ଆଦୌ ନିର୍ବାଚନ ଲଢ଼ି ନ ଥିବା ସମେତ ନିୟମାବଳୀର ଉଲ୍ଲଂଘନ କରିଥିବା ଆଉ ୪୭୪ଟି ପଞ୍ଜୀକୃତ ଅଣସ୍ବୀକୃତ ରାଜନୈତିକ ଦଳ (ଆର୍ୟୁପିପି)କୁ ନିର୍ବାଚନ କମିଶନ (ଇସି) ଶୁକ୍ରବାର ତାଲିକାରୁ ବାଦ୍ ଦେଇଛନ୍ତି। ଗତ ଅଗଷ୍ଟ ୯ରେ ପ୍ରଥମ ପର୍ଯ୍ୟାୟରେ ୩୩୪ ପଞ୍ଜୀକୃତ ଅଣସ୍ବୀକୃତିପ୍ରାପ୍ତ ଦଳଙ୍କୁ ତାଲିକାରୁ ବାଦ୍ ଦିଆଯାଇଥିଲା। ଏହିପରି ୨ ପର୍ଯ୍ୟାୟରେ ଇସି ମୋଟ ୮୦୮ଆର୍ୟୁପିପିକୁ ତାଲିକାରୁ ବାଦ୍ ଦେଲେଣି। ଏହି ଦଳଗୁଡ଼ିକ ବାଦ୍ ପଡ଼ିବା ପରେ ବର୍ତ୍ତମାନ ପଞ୍ଜୀକୃତ ଅଣସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳ ସଂଖ୍ୟା ୨,୦୪୬କୁ ହ୍ରାସ ପାଇଛି। ଏହାକୁ ବାଦ୍ ଦେଇ ୬ଟି ସ୍ବୀକୃତିପ୍ରାପ୍ତ ଜାତୀୟ ଦଳ ଓ ୬୭ଟି ରାଜ୍ୟ ଦଳ ରହିଛି।
ଭାରତରେ ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୨୯ଏ ଅଧୀନରେ ରାଜନୈତିକ ଦଳଗୁଡ଼ିକ ପଞ୍ଜୀକୃତ ହୋଇଥାନ୍ତି। ଥରେ ପଞ୍ଜୀକୃତ ହୋଇଗଲେ ଦଳଗୁଡ଼ିକୁ ନିର୍ବାଚନୀ ଚିହ୍ନ ଓ ଟିକସ ରିହାତି ଆଦି କେତେକ ସୁବିଧା ମିଳିଥାଏ। ତେବେ ଗାଇଡ୍ଲାଇନରେ ସ୍ପଷ୍ଟ କରିଦିଆଯାଇଛି ଯେ ଯଦି କୌଣସି ଦଳ ୬ ବର୍ଷ ପାଇଁ ନିର୍ବାଚନ ଲଢ଼ି ନ ଥିବ, ତାହାକୁ ପଞ୍ଜୀକୃତ ଦଳ ତାଲିକାରୁ ବାଦ୍ ଦିଆଯିବ। ନିୟମାବଳୀ ଉଲ୍ଲଂଘନ କରିଥିବା ଦଳଗୁଡ଼ିକୁ ବାଦ୍ ଦେବା ଲାଗି ନିର୍ବାଚନ କମିଶନ ଜୁନ୍ରୁ ଦେଶବ୍ୟାପୀ ଉଦ୍ୟମ ଆରମ୍ଭ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତରପ୍ରଦେଶରୁ ସର୍ବାଧିକ ୧୨୧ଟି ଦଳ ତାଲିକାରୁ ବାଦ୍ ପଡ଼ିଥିବାବେଳେ ମହାରାଷ୍ଟ୍ରରୁ ୪୪, ତାମିଲନାଡୁରୁ ୪୨, ଦିଲ୍ଲୀରୁ ୪୦, ପଞ୍ଜାବରୁ ୨୧, ମଧ୍ୟପ୍ରଦେଶରୁ ୨୩, ବିହାରରୁ ୧୫, ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶରୁ ୧୭ଟି ଲେଖାଏ ଏବଂ ଓଡ଼ିଶାରୁ ୭ ଦଳଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି।