Categories: Home Leftଖେଳ

ସେମିଫାଇନାଲରେ ପହଞ୍ଚିଲା ଇଷ୍ଟ ବେଙ୍ଗଲ

ଭୁବନେଶ୍ୱର, ୨୦।୧(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି ଇଷ୍ଟ ବେଙ୍ଗଲ। ଅନୁଷ୍ଠିତ ଗ୍ରୁପ୍‌ ‘ଏ’ର ଡର୍ବି ମ୍ୟାଚରେ ଇଷ୍ଟ ବେଙ୍ଗଲ ୩-୧ ଗୋଲରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମୋହନ ବାଗାନ ସୁପର ଜାଏଣ୍ଟକୁ ହରାଇ ନକ୍‌ ଆଉଟ ପ୍ରବେଶକୁ ନିଶ୍ଚିତ କରିଛି। ୨୪ ତାରିଖରେ ହେବାକୁଥିବା ସେମିଫାଇନାଲରେ ଇଷ୍ଟ ବେଙ୍ଗଲ ଗ୍ରୁପ୍‌ ‘ବି’ର ଟପ୍ପର ଦଳ ଜାମସେଦପୁର ଏଫ୍‌ସିକୁ ଭେଟିବ। ଇଷ୍ଟ ବେଙ୍ଗଲ ୩ ମ୍ୟାଚରୁ ୯ ପଏଣ୍ଟ ପାଇଥିବାବେଳେ ମୋହନ ବାଗାନ ୩ ମ୍ୟାଚରୁ ୬ ପଏଣ୍ଟ ସହ ଲିଗ୍‌ ପର୍ଯ୍ୟାୟରୁ ଅଭିଯାନ ଶେଷ କରିଛି।

ମୋହନ ବାଗାନ ଓ ଇଷ୍ଟ ବେଙ୍ଗଲ ମ୍ୟାଚ ସ୍ବାଭାବିକ ଭାବେ ଆରମ୍ଭରୁ ରୋମାଞ୍ଚକ ହୋଇଥିଲା। ଉଭୟ ଦଳର ଅନେକ ଦର୍ଶକ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ପ୍ରଥମ କିଛିଭାଗ ଖେଳ ଗୋଲଶୂନ୍ୟ ରହିବାପରେ ୧୯ତମ ମିନିଟରେ ପ୍ରଥମ ଗୋଲଟି ସ୍କୋର କରି ମୋହନ ବାଗାନକୁ ଅଗ୍ରଣୀ ଦେଇଥିଲେ ହେକ୍ଟର ୟୁଷ୍ଟି କାଣ୍ଟନ।

ମାତ୍ର ଦଳ ଏଥିରୁ ବିଶେଷ ଫାଇଦା ଉଠାଇ ପାରି ନ ଥିଲା। ୨୪ତମ ମିନିଟରେ ଗୋଲଟି ପରିଶୋଧ କରି ଦେଇଥିଲେ ଇଷ୍ଟ ବେଙ୍ଗଲର କ୍ଲେଇଟନ ଅଗୁଷ୍ଟୋ ଓଲିଭେରା ସିଲ୍‌ଭା। ପ୍ରଥମାର୍ଦ୍ଧରେ ମ୍ୟାଚ ୧-୧ ସ୍ଥିତିରେ ରହିବାରୁ ଦ୍ୱିତୀୟାର୍ଦ୍ଧ ଅଧିକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୬୩ତମ ମିନିଟରେ ଇଷ୍ଟ ବେଙ୍ଗଲର ଅଗ୍ରଣୀ ବ୍ୟବଧାନକୁ ୨-୧ରେ ପରିଣତ କରି ମ୍ୟାଚରେ ରୋମାଞ୍ଚ ଭରିଥିଲେ ନନ୍ଦ କୁମାର।

ମୋହନ ବାଗାନ ଗୋଲ ପରିଶୋଧ ଉଦ୍ୟମରେ ଥିବାବେଳେ ୮୦ତମ ମିନିଟରେ ସିଲ୍‌ଭା ବ୍ୟକ୍ତିଗତ ଦ୍ୱିତୀୟ ଓ ଦଳ ପକ୍ଷରୁ ତୃତୀୟ ଗୋଲଟି ଦେଇ ଇଷ୍ଟ ବେଙ୍ଗଲର ବିଜୟକୁ ଏକପ୍ରକାର ନିଶ୍ଚିତ କରି ଦେଇଥିଲେ। ନିର୍ଦ୍ଧାରିତ ୯୦ ମିନିଟ ଏବଂ ୭ ମିନିଟର ଇଞ୍ଜୁରି ଟାଇମ୍‌ରେ ମୋହନ ବାଗାନ ଆଉ ଗୋଲ ପରିଶୋଧ କରିବାକୁ ସକ୍ଷମ ହୋଇ ନ ଥିଲା। ଫଳରେ ଷ୍ଟାଡିୟମରେ ଉପସ୍ଥିତ ଏହାର ପ୍ରଶଂସକଙ୍କ ମଧ୍ୟରେ ନୀରବତା ଛାଇ ଯାଇଥିବାବେଳେ ଇଷ୍ଟ ବେଙ୍ଗଲ ସମର୍ଥକମାନେ ନିଆଁ ହୁଳା ଜଳାଇ ଖୁସି ମନାଇଥିଲେ। ମ୍ୟାଚର ଶେଷ ହ୍ବିସିଲ ବାଜିବା ମାତ୍ରେ ଖେଳାଳିମାନେ ମଧ୍ୟ ଦର୍ଶକଙ୍କ ନିକଟକୁ ଦୌଡ଼ିଆସି ଖୁସି ମନାଇଥିଲେ।