Aridane Jesus Cabrera Santana of Hyderabad FC go up for header during match 29 of the 7th season of the Hero Indian Super League between Hyderabad FC and SC East Bengal held at the Tilak Maidan Stadium, Goa, India on the 15th December 2020 Photo by Deepak Malik/ Sportzpics for ISL
ଭାସ୍କୋ, ୧୫।୧୨-
ସ୍ଥାନୀୟ ତିଳକ ମଇଦାନରେ ମଙ୍ଗଳବାର ଅନୁଷ୍ଠିତ ଏକ କଡ଼ା ଚ୍ୟାଲେଞ୍ଜପୂର୍ଣ୍ଣ ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ) ମ୍ୟାଚରେ ହାଇଦ୍ରାବାଦ ଏଫସି ୩-୨ ଗୋଲରେ ଇଷ୍ଟବେଙ୍ଗଲକୁ ପରାସ୍ତ କରିଛି। ଏକଦା ମ୍ୟାଚ୍ରେ ଆଗୁଆ ରହିବା ସତ୍ତ୍ୱେ ପରାଜୟରୁ ବର୍ତ୍ତି ପାରି ନାହିଁ ଇଷ୍ଟବେଙ୍ଗଲ। ୫ ମ୍ୟାଚରୁ ୪ର୍ଥ ପରାଜୟ ସହ ଇଷ୍ଟବେଙ୍ଗଲ ମାତ୍ର ୧ ପଏଣ୍ଟ ପାଇ ଟେବୁଲର ୧୧ତମ ସ୍ଥାନରେ ଅପରିବର୍ତ୍ତିତ ରହିଛି। ଅନ୍ୟପକ୍ଷରେ ହାଇଦ୍ରାବାଦର ଅପରାଜେୟ ଧାରା ଜାରି ରହିଛି। ଦଳ ୫ ମ୍ୟାଚରୁ ୨ ବିଜୟ ଓ ୩ ଡ୍ର ସହ ୯ ପଏଣ୍ଟ ପାଇ ୫ମ ସ୍ଥାନକୁ ଉନ୍ନୀତ ହୋଇଛି।
୨୬ତମ ମିନିଟରେ ଜ୍ୟାକ୍ସ ମାଘୋମାଙ୍କ ଗୋଲ ଯୋଗୁ ଇଷ୍ଟବେଙ୍ଗଲ ପ୍ରଥମାର୍ଦ୍ଧ ସୁଦ୍ଧା ୧-୦ ଗୋଲର ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟାର୍ଦ୍ଧ କିନ୍ତୁ ସାଣ୍ଟାନା ଓ ହାଇଦ୍ରାବାଦ ନାମରେ ରହିଥିଲା। ୫୬ତମ ମିନିଟରେ ମହମ୍ମଦ ୟାସିରଙ୍କଠାରୁ ପାଇଥିବା ପାସ୍କୁ ଗୋଲରେ ପରିଣତ କରି ସାଣ୍ଟାନା ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ। ସେଇ ୧ ମିନିଟ ମଧ୍ୟରେ ଲିଷ୍ଟନ କୋଲାକୋଙ୍କଠାରୁ ପାସ୍ ପାଇ ତାହାକୁ ଗୋଲ କରିବା ସହ ସାଣ୍ଟାନା ହାଇଦ୍ରାବାଦକୁ ପ୍ରତୀକ୍ଷିତ ଅଗ୍ରଣୀ କରାଇଥିଲେ। ୬୮ତମ ମିନିଟରେ ହାଲିଚରନ ନାର୍ଜାରେ ଆଉ ଏକ ଗୋଲ ଦେଇ ହାଇଦ୍ରାବାଦ ଅଗ୍ରଣୀକୁ ଆଗକୁ ବଢ଼ାଇଥିଲେ। ଏଥର ମଧ୍ୟ ନାର୍ଜାରେଙ୍କୁ କୋଲାକୋ ପାସ୍ ଦେଇଥିଲେ। କ୍ରମେ ହାଇଦ୍ରାବାଦ ପ୍ରାଧାନ୍ୟ ବିସ୍ତାର କରିଥିବାବେଳେ ୮୧ତମ ମିନିଟରେ ମାଘୋମା ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରି ଇଷ୍ଟବେଙ୍ଗଲ ପାଇଁ ପ୍ରତ୍ୟାବର୍ତ୍ତନ ସୁଯୋଗ ସୃଷ୍ଟି କରିଥିଲେ।