ଆଫଗାନିସ୍ତାନରେ ୫.୮ ତୀବ୍ରତାର ଭୂକମ୍ପର ପ୍ରଭାବ, ଥରିଲା ଦିଲ୍ଲୀ, ଜମ୍ମୁ-କଶ୍ମୀର; ଭୟରେ…

ନୂଆଦିଲ୍ଲୀ,୧୯।୪: ଆଫଗାନିସ୍ତାନରେ ଶନିବାର ଅପରାହ୍ନ ୧୨ଟା ୧୭ ମିନିଟ୍‌ ସମୟରେ ୫.୮ ତୀବ୍ରତାର ଭୂକମ୍ପ ହୋଇଛି। ଏହାର ପ୍ରଭାବରେ ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ, ଜମ୍ମୁ-କଶ୍ମୀର ସମେତ ଉତ୍ତରଭାରତର ଅଧିକାଂଶ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇଥିବାର ଖବର ମିଳିନାହିଁ। ଏଥିରେ ଭୟଭୀତ ହୋଇ ଲୋକେ ନିଜ ଅଫିସ ଏବଂ ଘରୁ ବାହାରକୁ ଦୌଡ଼ି ଆସୁଥିବା ଦେଖାଯାଇଥିଲା।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ୩୬.୧୦ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୭୧.୨୦ ଡିଗ୍ରୀ ପୂର୍ବ ଦ୍ରାଘିମା ମଧ୍ୟରେ ଏବଂ ୧୩୦ କିଲୋମିଟର ଗଭୀରରେ ବୋଲି ଜଣାପଡ଼ିଛି।

ପାକିସ୍ତାନରେ ପୂର୍ବାହ୍ନ ୧୧ଟା ୪୭ରେ ସଂଘଟିତ ଅନ୍ୟ ଏକ ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ-ତାଜିକିସ୍ତାନ ସୀମାନ୍ତ ଅଞ୍ଚଳର ୯୪ କିଲୋମିଟର ଗଭୀରରେ ବୋଲି ନ୍ୟାଶନାଲ ସିସ୍‌ମିକ୍‌ ମନିଟରିଂ ସେଣ୍ଟର ପକ୍ଷରୁ କୁହାଯାଇଛି। ପାକିସ୍ତାନର ଇସ୍‌ଲାମାବାଦ, ଲାହୋର, ପେଶାଓ୍ବର,ରାଓ୍ବଲପିଣ୍ଡି ଏବଂ ଖାଇବର ପଖ୍‌ତୁନ୍‌ଖ୍ବାର ବିଭିନ୍ନ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଛି।

Share