କାବୁଲ,୪ା୧୧: ଆଫଗାନିସ୍ତାନର ଉତ୍ତର ଭାଗରେ ରବିବାର ବିଳମ୍ବିତ ରାତିରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇ ଅନୂ୍ୟନ ୨୦ ଜଣଙ୍କ ମୃତ୍ୟୁ ଘଟିବା ସହ ୫୩୪ ଆହତ ହୋଇଛନ୍ତି। ଭଗ୍ନାବଶେଷ ତଳୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତାହତଙ୍କ ସଂଖ୍ୟ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଭୂକମ୍ପର ତୀବ୍ରତା ୬.୩ ରହିଥିଲା। ଆମେରିକା ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ସୂଚନା ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ଖୁଲମ୍ ସହରଠାରୁ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ୨୨ କି.ମି. ଦୂରରେ ଅବସ୍ଥିତ। ସମସ୍ତ ମୃତଦେହ ଏବଂ ଆହତଙ୍କୁ ବଲ୍ଖ ଏବଂ ସମାଙ୍ଗନ ପ୍ରଦେଶର ବିଭିନ୍ନ ହସ୍ପିଟାଲକୁ ନିଆଯାଇଛି।
ଭୂକମ୍ପରେ ବଦଖଶାଁ ପ୍ରଦେଶର ଶହର-ଇ-ବୋଜୋର୍ଗ ଜିଲା ଅନ୍ତର୍ଗତ ଗୋଟିଏ ଗାଁରେ ୮୦୦ ଘର ସମ୍ପୂର୍ଣ୍ଣ କିମ୍ବା ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ତେବେ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ସେବା ନ ଥିବାରୁ ପ୍ରକୃତ ମୃତାହତଙ୍କ ସଂଖ୍ୟା ଜଣାପଡ଼ି ନ ଥିବା ପ୍ରାଦେଶିକ ପୋଲିସ ମୁଖ୍ୟାଳୟ ତରଫରୁ କୁହାଯାଇଛି। ସର୍ବାଧିକ କ୍ଷତିଗ୍ରସ୍ତ ବଲ୍ଖ ଏବଂ ସମାଙ୍ଗନରେ ଉଦ୍ଧାରକାରୀ ଓ ଜରୁରୀ ସେବା ପ୍ରଦାନକାରୀ ଟିମ୍ ପହଞ୍ଚତ୍ ଉଦ୍ଧାର ଓ ଅହତମାନଙ୍କୁ ହସ୍ପିଟାଲରେ ପହଞ୍ଚାଇବା କାର୍ଯ୍ୟରେ ଲାଗିଥିବା କାବୁଲସ୍ଥିତ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଉତ୍ତର ଭାଗରେ ଥିବା ବଲ୍ଖ ପ୍ରଦେଶ ରାଜଧାନୀ ମାଜାର-ଇ-ଶରିଫ୍ରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ସେଠାରେ ଥିବା ଐତିହାସିକ ବ୍ଲ୍ୟୁ ମସ୍ଜିଦ କ୍ଷତିଗ୍ରସ୍ତ ହେଇଥିବା ସୋସିଆଲ ମିଡିଆରେ ପ୍ରସାରିତ ଫଟୋରୁ ଜଣାପଡ଼ିଛି। ରାଜଧାନୀ କାବୁଲ ସମେତ ଅନ୍ୟ କେତେକ ପ୍ରଦେଶରେ ମଧ୍ୟ କମ୍ପନ ଅନୁଭୂତ ହୋଇଛି। ପଥର ଖସି ପାର୍ବତ୍ୟାଞ୍ଚଳର ମୁଖ୍ୟ ରାସ୍ତା ଅବରୋଧ ହେଇଥିଲାବେଳେ ପରେ ତାହାକୁ ଖୋଲାଯାଇଛି।
Dharitri – The Largest & Most Trusted Odia Daily