ମୁମ୍ବାଇ: ବଲିଉଡର ବହୁ ପ୍ରତୀକ୍ଷିତ ଆକ୍ସନ ଫିଲ୍ମ ‘ଆଲ୍ଫା’ର ରିଲିଜ ତାରିଖ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଏହି ଫିଲ୍ମ ଖ୍ରୀଷ୍ଟମାସ ସମୟରେ ପରଦାକୁ ଆସିବାର ଥିଲା, କିନ୍ତୁ ଆସନ୍ତାବର୍ଷ ୧୭ ଏପ୍ରିଲରେ ସିନେମା ହଲ୍ରେ ମୁକ୍ତିଲାଭ କରିବ। ୟଶରାଜ ଫିଲ୍ମସ୍ (ଓ୍ବାଇଆର୍ଏଫ୍)ର ‘ସ୍ପାଇ ୟୁନିଭର୍ସ’ର ଏହି ପ୍ରଥମ ମହିଳା-ପ୍ରଧାନ ଫିଲ୍ମରେ ଆଲିଆ ଭଟ୍ଟ ଏବଂ ଶର୍ବରୀ ୱାଘଙ୍କୁ ଦମଦାର୍ ଆକ୍ସନ ଅବତାରରେ ଦେଖିବାକୁ ମିଳିବ। ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଥିବାବେଳେ, ମେକର୍ସମାନେ ଏହାର ରିଲିଜ ତାରିଖ ବଦଳାଇ ଦେଇଛନ୍ତି।
ଫିଲ୍ମସ ମୁଖପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଫିଲ୍ମର ବଡ଼ ଆକାର ଏବଂ ଆକ୍ସନ ସିନ୍ଗୁଡ଼ିକର ବିଶାଳ ଭିଜୁଆଲ ଇଫେକ୍ଟସ (ଭିଏଫଏକ୍ସ) କାମ ଶେଷହେବାକୁ ଅଧିକ ସମୟ ଲାଗୁଛି।
ସମସ୍ତ ଭିଏଫଏକ୍ସ କାର୍ଯ୍ୟ ଡିସେମ୍ବର ସୁଦ୍ଧା ସାରିବା ସମ୍ଭବ ହେବ ନାହିଁ ବୋଲି ଟିମ୍ ଅନୁଭବ କରିବା ପରେ ତାରିଖ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ମେକର୍ସମାନେ ଚଳଚ୍ଚିତ୍ରର ଗୁଣବତ୍ତା ସହିତ କୌଣସି ପ୍ରକାର ସାଲିସ କରିବାକୁ ଚାହୁଁନାହାଁନ୍ତି।
ଫିଲ୍ମରେ ଆଲିଆ ଏବଂ ଶର୍ବରୀ ୱାଘଙ୍କ ବ୍ୟତୀତ ବବି ଦେଓଲ ଭିଲେନ ଭୂମିକାରେ ନଜର ଆସିବେ। ଆଲିଆ ଏବଂ ଶର୍ବରୀଙ୍କ ସହିତ ବବିଙ୍କ ଟକ୍କର ଏହି ପ୍ରୋଜେକ୍ଟର ମୁଖ୍ୟ ଆକର୍ଷଣ ହେବ ବୋଲି କୁହାଯାଉଛି।
Dharitri – The Largest & Most Trusted Odia Daily