ନୂଆଦିଲ୍ଲୀ,୮ା୧: ଦେଶରେ ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି। ଏହି ପ୍ରସଙ୍ଗରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟରେ ରୋଚକ ପରିସ୍ଥିତି ସୃଷ୍ଟି ହୋଇଛି। ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ, ସନ୍ଦୀପ ମେହେଟ୍ଟା ଏବଂ ଏନ.ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିବା ବେଳେ କୁକୁରଙ୍କ ଉପସ୍ଥିତି ସାମାଜିକ ସନ୍ତୁଳନ ରକ୍ଷା କରେ ବୋଲି ପଶୁପ୍ରେମୀଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲା।
ବରିଷ୍ଠ ଆଇନଜୀବୀ ସି.ୟୁ. ସିଂ କହିଥିଲେ ଯେ, ସହରରୁ କୁକୁରଙ୍କୁ ହଠାତ୍ ହଟାଇ ଦେଲେ ମୂଷାଙ୍କ ସଂଖ୍ୟା ବୃଦ୍ଧି ପାଇବ, ଯାହା ରୋଗ ବ୍ୟାପିବାର କାରଣ ହେବ। ଏହି ସମୟରେ ଜଷ୍ଟିସ୍ ମେହେଟ୍ଟା ହାଲୁକା ଭାବେ କହିଥିଲେ, “କୁକୁର ଏବଂ ବିଲେଇ ଶତ୍ରୁ। ଆମେ ବିଲେଇଙ୍କୁ ପ୍ରୋତ୍ସାହନ ଦେବା ଉଚିତ୍, କାରଣ ସେମାନେ ମୂଷାଙ୍କୁ ନିୟନ୍ତ୍ରଣ କରିପାରିବେ।”
ଏହି ଶୁଣାଣି ସମୟରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ (ABC Rules) ପାଇଁ ବଜେଟ୍ ଏବଂ ଭିତ୍ତିଭୂମିର ଅଭାବ ଉପରେ ଆଇନଜୀବୀମାନେ ପ୍ରଶ୍ନ ଉଠାଇଥିଲେ। ବର୍ତ୍ତମାନ ଦେଶରେ ୫.୨ କୋଟି ବୁଲା କୁକୁର ଥିବାବେଳେ ମାତ୍ର ୬୬ଟି ସ୍ୱୀକୃତିପ୍ରାପ୍ତ ବନ୍ଧ୍ୟାକରଣ କେନ୍ଦ୍ର ରହିଛି। ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଏବଂ ସାଧାରଣ ସ୍ଥାନରେ କୁକୁରଙ୍କ ଉପସ୍ଥିତି ଯୋଗୁଁ ଘଟୁଥିବା ଦୁର୍ଘଟଣା ଓ କାମୁଡ଼ା ଘଟଣା ଉପରେ କୋର୍ଟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି।
ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ସେ ସବୁ କୁକୁରଙ୍କୁ ରାସ୍ତାରୁ ହଟାଇବାକୁ ନିର୍ଦ୍ଦେଶ ଦେଇନାହାନ୍ତି, ବରଂ ନିୟମ ଅନୁଯାୟୀ ସେମାନଙ୍କର ପରିଚାଳନା କରିବାକୁ କହିଛନ୍ତି। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ନିୟମ ଥାଇ ମଧ୍ୟ ଅନେକ ରାଜ୍ୟରେ ଏହାର ଉଲ୍ଲଂଘନ ହେଉଛି, ଯାହା ଫଳରେ ମଣିଷଙ୍କ ଜୀବନ ବିପଦରେ ପଡୁଛି।