ଜମୁଛି ଦୁର୍ଗା ପୂଜା: ଗାଁଠୁ ସହର ଉସବ ମୁଖର

ସୁନ୍ଦରଗଡ଼,୧।୧୦(ଜୟନାରାୟଣ ମେଣ୍ଡୁଳି): ଶାରଦୀୟ ଦୁର୍ଗା ପୂଜା ପାଇଁ ଏବେ ସୁନ୍ଦରଗଡ ସହର ଉସବ ମୁଖର। ସହରର ଇବ୍‌ନଗର, ରଙ୍ଗାଢିପା, ରିଜେଣ୍ଟ ମାର୍କେଟ, ବ୍ରାହ୍ମଣପଡା, ହସପିଟାଲ ଛକ, ଦୟା ଧର୍ମଶାଳା ଆଦି ବିଭିନ୍ନ ପୂଜା ମଣ୍ଡପରେ ମା’ ଜଗତଜନନୀ ଦୁର୍ଗାଙ୍କ ପୂଜନସୋବ ମହାଆଡମ୍ବର ସହକାରେ ଆୟୋଜିତ ହୋଇଛି।

ପୂଜା ମଣ୍ଡପଗୁଡିକରେ ପ୍ରତ୍ୟହ ଚଣ୍ଡୀ ପାଠ, ଘଣ୍ଟ ଶଙ୍ଖ, ଢୋଲ ନିଶାନ, ତାସା ମହୁରୀରେ ଦୁଲୁକି ଉଠିଛି। ମା’ଆଙ୍କ ଦର୍ଶନ ପାଇଁ ମଣ୍ଡପଗୁଡିକରେ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ବିଭିନ୍ନ ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଅନ୍ନ ଭୋଗ, ଖେଚୁଡ଼ି, ଖିରି ଭୋଗ ବଣ୍ଟନ କରାଯାଉଛି।

ସହରର ଇବନଗର ମଣ୍ଡପରେ ଶାରଦୀୟ ଦୁର୍ଗା ପୂଜା ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ହର୍ଷ ଉଲ୍ଲାସ ମଧ୍ୟରେ ଆୟୋଜିତ ହୋଇଛି। କମିଟିର କର୍ମକର୍ତ୍ତା ମିଳିତ ଭାବେ ସମସ୍ତ କାର୍ଯ୍ୟ ନିଷ୍ଠାର ସହ ସମ୍ପାଦନ କରୁଛନ୍ତି। ଆକର୍ଷଣୀ ତୋରଣ ଓ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସୁନ୍ଦର ହୋଇଛି। ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ବେଶ ଭିଡ ପରିଲକ୍ଷିତ ହୋଇଛି। ଦଶହରା ସାରେ(ଗୁରୁବାର)ଯାତ୍ରା ପଡ଼ିଆରେ ବିଜୟାଦଶମୀ ପାଳନ ସହ ରାବଣ ପୋଡି ଆୟୋଜିତ ହେବ ବୋଲି କମିଟିର ସଭାପତି ଅଜିତ ପ୍ରସାଦ ସୂଚନା ଦେଇଛନ୍ତି।

ଇବ୍‌ନଗର ବାସୀ ମିଳିତ ଉଦ୍ୟମରେ ଆୟୋଜିତ ଏହି ଶାରଦୀୟ ଦୁର୍ଗା ପୂଜା ଚଳିତ ବର୍ଷ ୨୨ରେ ପଦାର୍ପଣ କରିଛି। ୩ ତାରିଖରେ ଭସାଣୀ ଯାତ୍ରା ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି।